୧୪୪ ଆଇପିଏସ୍ ଅଧିକାରୀଙ୍କୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ଫିଟନେସ ଓ ଅପରାଧିକ ମାମଲା କମ କରିବା ଉପରେ ଗୁରୁତ୍ୱ

159

କନକ ବ୍ୟୁରୋ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୋଲିସ ଏକାଡୋମୀର ଟ୍ରେନି ଆଇପିଏସ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଆପଣମାନଙ୍କ ଭଳି ଯୁବକ ମାନଙ୍କ ଉପରେ ଦେଶର ଅନେକ ଦାୟୀତ୍ୱ ରହିଛି । ଏହାସହ ମହିଳା ଅଫିସର ମାନଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି କି,ଅଫିସର ମାନଙ୍କ ପାଠପଢା ଦେଶସେବାରେ କାମରେ ଲାଗୁଛି , ଅନ୍ୟପଟେ ପୋଲିସ ଅଧିକାରୀମାନେ ଯଦି ସେମାନଙ୍କ ଫିଟନେସ୍ ମଜବୁତ କରିବେ ତେବେ ସୁନ୍ଦର ସମାଜ ଗଠନ ହୋଇପାରିବ । ଏହି ଅବସରରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ବି ଉପସ୍ଥିତ ଥିଲେ ।

ଟ୍ରେନି ଆଇପିଏସ୍ ଅଫିସର ମାନଙ୍କ ସହ କଥାହେବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି ନୂଆ ସଂକଳ୍ପ ଓ ଇଚ୍ଛାଶକ୍ତି ନେଇ ଆଗକୁ ବଢିବାକୁ ପଡିବ । ଅପରାଧ କମ କରିବାକୁ ହେଲେ ପ୍ରୟୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ କି ସତ୍ୟାଗ୍ରହ ମାଧ୍ୟମରେ ଗାନ୍ଧୀ ଦେଶକୁ ସ୍ୱାଧିନତା ଦେଇପାରିଥିଲେ ।

ଅନ୍ୟପଟେ ଟ୍ରେନି ଅଫିସର ମାନେ ପ୍ରଧାନମନ୍ତ୍ରୀଙ୍କ ସହ ଭବିଷ୍ୟତ ଯୋଜନା ବାବଦରେ ମଧ୍ୟ ବାର୍ତ୍ତାଳାପ କରିବା ସହ ନିଜର ଅନୁଭବ କହିଥିଲେ । ଏହି ଅବସରରେ ୧୪୪ ଜଣ ଟ୍ରେନି ଆଇପିଏସ୍ ସାମିଲ ଥିଲେ ।