ପୃଥିବୀର  ଅନେକ ଅଞ୍ଚଳ ଏବେ ଯୁଦ୍ଧର ବିଭୀଷିକା ମଧ୍ୟରେ କବଳିତ ହେଇଅଛି । ଏଥିରେ ରୁଷ-ୟୁକ୍ରେନ, ଇସ୍ରାଏଲ୍-ପାଲେଷ୍ଟାଇନ ଏବଂ ୟେମେନ ଭଳି ଅନେକ ଦେଶ ପ୍ରତ୍ୟକ୍ଷ ଭାବେ ଓ ଆହୁରି ବହୁ ଦେଶ ପରୋକ୍ଷ ଭାବେ ଏହି ଯୁଦ୍ଧରେ ଲିପ୍ତ ଅଛନ୍ତି । ଏହିଭଳି ତିକ୍ତ ପରିବେଶରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ଏଥି ସହିତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଇରାନ ଗସ୍ତରେ ଯାଇ ସେଠାରେ ଇରାନର ରାଷ୍ଟ୍ରପତି ତଥା ବୈଦେଶିକ  ମନ୍ତ୍ରୀଙ୍କୁ ଭେଟିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ସୋମବାର ଦୁଇ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ରଣନୀତିକ ଭାଗିଦାରୀ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ଦୁଇ ନେତା ଭବିଷ୍ୟତ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ମଧ୍ୟ ରାଜି ହୋଇଛନ୍ତି । ପୁଟିନଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ସୋସିଆଲ ମିଡିଆରେ ପିଏମ ମୋଦୀ ସୂଚନା ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କ ସହ ମୋର  ବାର୍ତ୍ତାଳାପ ସକାରାତ୍ମକ ରହିଥିଲା । ଆମର ସ୍ବତନ୍ତ୍ର ତଥା ସୁବିଧାଜନକ ରଣନୀତିକ ଭାଗିଦାରୀରେ ଆମେ ବିଭିନ୍ନ ସକରାତ୍ମକ ବିକାଶ ବିଷୟରେ ଆଲୋଚନା କଲୁ ଏବଂ ଭବିଷ୍ୟତର ପଦକ୍ଷେପ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ରାଜି ହେଲୁ । ବ୍ରିକ୍ସରେ ରୁଷର ଅଧ୍ୟକ୍ଷତା ପ୍ରସ୍ତାବ ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ବସ୍ତରୀୟ ପ୍ରସଙ୍ଗରେ ଆମେ ଉପଯୋଗୀ ମତ ବିନିମୟ କରିଛୁ ।କିଛି ଦିନ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ରୁଷ ଗସ୍ତରେ ଯାଇଥିଲେ। ଜୟଶଙ୍କର ପୁଟିନଙ୍କୁ ମଧ୍ୟ ଭେଟିଥିଲେ । ଏହି ବୈଠକରେ ପୁଟିନ ରୁଷ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଜୟଶଙ୍କର ପୁଟିନଙ୍କୁ କହିଥିଲେ ଯେ ଉଭୟ ଦେଶର କାର୍ଯ୍ୟକ୍ରମକୁ ବିଚାର କରି ଖୁବ ଶୀଘ୍ର ଏକ ତାରିଖ ସ୍ଥିର ହେବ ।

ଜୟଶଙ୍କର ଇରାନର ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଇରାନ ଗସ୍ତରେ ଅଛନ୍ତି । ସେ ଇରାନର ବୈଦେଶିକ ମନ୍ତ୍ରୀ ହୋସେନ୍ ଆମୀର-ଅବଦୋଲ୍ଲାୟାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଆଲୋଚନାରେ ରଣନୀତିକ ଗୁରୁତ୍ୱପୂର୍ଣ୍ଣ ଚାବାହାର ବନ୍ଦର ଏବଂ ଉତ୍ତର-ଦକ୍ଷିଣ କନେକ୍ଟିଭିଟି ପ୍ରୋଜେକ୍ଟରେ ଭାରତର ଅଂଶଗ୍ରହଣ ପାଇଁ ଦୀର୍ଘକାଳୀନ ଢାଞ୍ଚା ଉପରେ ଆଲୋଚନା କରାଯାଇଥିଲା ।

ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଉଚ୍ଚ ସ୍ତରୀୟ କଥାବାର୍ତ୍ତାର ଏକ ଅଂଶ ଭାବରେ ଜୟଶଙ୍କର ଇରାନ ଗସ୍ତରେ ଅଛନ୍ତି । ସେ ଇରାନର ରାଷ୍ଟ୍ରପତି ଡକ୍ଟର ଇବ୍ରାହିମ ରାଇସିଙ୍କୁ ମଧ୍ୟ ଭେଟିଥିଲେ। ଜୟଶଙ୍କର X’ ରେ ଏକ ପୋଷ୍ଟରେ କହିଛନ୍ତି ଯେ ତେହେରାନରେ ଇରାନର ବୈଦେଶିକ ମନ୍ତ୍ରୀ ଆମୀର-ଅବଦୋଲ୍ଲାହାନଙ୍କ ସହ ତାଙ୍କର ବ୍ୟାପକ ଆଲୋଚନା ହୋଇଛି । ଆମର ଦ୍ୱିପାକ୍ଷିକ ଆଲୋଚନା ଚାବାହାର ବନ୍ଦର ଏବଂ INSTC କନେକ୍ଟିଭିଟି ପ୍ରୋଜେକ୍ଟ ସହିତ ଭାରତର ଯୋଗଦାନ ପାଇଁ ଦୀର୍ଘକାଳୀନ ଢାଞ୍ଚା ପ୍ରସ୍ତୁତି ଉପରେ ଆମେ ଧ୍ୟାନ ଦେଇଥିଲୁ । ସେ ଏହି ଅଞ୍ଚଳରେ ସାମୁଦ୍ରିକ ପରିବହନ ପାଇଁ ଆସୁଥିବା ବିପଦ ବିଷୟରେ ମଧ୍ୟ କହିଥିଲେ ଏବଂ ଏହି ସମସ୍ୟାର ଶୀଘ୍ର ସମାଧାନ ହେବା ଜରୁରୀ ବୋଲି କହିଥିଲେ । ଇସ୍ରାଏଲ-ହମାସ ବିବାଦ ମଧ୍ୟରେ ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଲୋହିତ ସାଗରରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରିବା ବିଷୟରେ ଏହି ଆଲୋଚନା ଉଦ୍ଧିଷ୍ଟ ଥିଲା । ୟେମେନରେ ହୁତି ବିଦ୍ରୋହୀଙ୍କ ଆଡ୍ଡାକୁ  ଟାର୍ଗେଟ କରି ଆମେରିକା ଏବଂ ବ୍ରିଟେନ ଏୟାର ଷ୍ଟ୍ରାଇକ୍ କରିଛନ୍ତି ।

ଲୋହିତ ସାଗରରେ ବଦଳୁଥିବା ପରିସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି । ଗୁରୁବାର ଦିନ ଜୟଶଙ୍କର ଏବଂ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ  ମଧ୍ୟରେ ଫୋନ୍ ବାର୍ତ୍ତାଳାପରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଇଥିଲା । ଜୟଶଙ୍କର କହିଛନ୍ତି ଯେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏଜେଣ୍ଡା ଉପରେ ଥିବା ଅନ୍ୟାନ୍ୟ ପ୍ରସଙ୍ଗ ସବୁ ହେଉଛି ‘ଗାଜା ପରିସ୍ଥିତି, ଆଫଗାନିସ୍ତାନ, ୟୁକ୍ରେନ ଏବଂ ବ୍ରିକ୍ସ ସହଯୋଗ’ ।