କରୋନା ସହ ଲଢେଇ ନେଇ ବିରୋଧୀଙ୍କ ସହ ଆଲୋଚନା କଲେ ମୋଦି । ଫୋନ କରି ନବୀନ ପଟ୍ଟନାୟକ, ସୋନିଆ ଗାନ୍ଧୀ, ମନମୋହନ ସିଂହ, ପ୍ରଣବ ମୁଖାର୍ଜୀ, ଦେବଗୌଡ଼ାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

2,415

କନକ ବ୍ୟୁରୋ: ଭୟାବହ କରୋନା ଭୂତାଣୁର ପ୍ରକୋପ ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମୁକାବିଲା ନେଇ ମୋଦି ଆଲୋଚନା କରିଥିବା ଜଣାପଡିଛି । ଏଥିସହ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରତିଭା ପାଟିଲଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନୋମୋହନ ସିଂହ ଓ ଏଚ. ଡି ଦେବେଗୌଡାଙ୍କ ସହ ଏହି ପ୍ରସଙ୍ଗରେ ମୋଦି ଆଲୋଚନା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୋଦୀ ।

ଶତାବ୍ଦୀର ସବୁଠୁ ବଡ଼ ସଂକଟ ଦେଇ ଗତି କରୁଥିବା ବେଳେ ଦେଶର ତୁଙ୍ଗ ନେତାମାନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଜଣ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରତିଭା ପାଟିଲଙ୍କ ସହ କରୋନା ସଂକ୍ରମଣର ସ୍ଥିତି ନେଇ ଆଲୋଚନା କରିଛନ୍ତି । ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଏଚ୍.ଡି. ଦେବେଗୌଡ଼ାଙ୍କୁ ବର୍ତମାନର ସ୍ଥିତି ସଂପର୍କରେ ଜଣାଇଛନ୍ତି । ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୋଦୀ ।

ଦେଶର ୨୧ ଦିନିଆ ଲକ୍ ଡାଉନର ଆଜି ୧୧ ତମ ଦିନ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ଲକ୍ ଡାଉନ୍ ଯୋଗୁଁ ଠପ୍ ହୋଇଯାଇଛି ଅର୍ଥନୀତି । ଏପରି ସଂକଟଜନକ ସ୍ଥିତିର କିପରି ମୁକାବିଲା କରାଯିବ, ଏ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି ।

ଦେଶର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବିରୋଧୀ ଦଳ ଓ ଦେଶର ପ୍ରମୁଖ ଦଳର ନେତାଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ରାଜ୍ୟର ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି ମୋଦୀ । ସମାଜବାଦୀ ନେତା ମୁଲାୟମ ସିଂହ ଯାଦବ, ଅଖିଲେଶ ଯାଦବ, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜି, ଟିଆରଏସ୍ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ ଓ ଅକାଳି ଦଳ ସୁପ୍ରିମୋ ପ୍ରକାଶ ସିଂହ ବାଦଲଙ୍କ ସହ ମଧ୍ୟ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହାରି ଭିତରେ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୁଇ ଥର ଆଲୋଚନା କରି ସାରିଛନ୍ତି ମୋଦୀ । ସବୁ ପ୍ରମୁଖ ଦଳର ନେତାଙ୍କ ମତାମତ ନେବା, ଏକାଠି ଏହି ବଡ଼ ବିପଦର ମୁକାବିଲା କରୁଥିବା ନେଇ ସେ ଏକ ବାର୍ତା ଦେଇଛନ୍ତି ।