ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ କଲେ ସମାଲୋଚନା ।

367

କନକ ବ୍ୟୁରୋ: ପିଏମ୍ କିଷାନ୍ ଯୋଜନାରେ ମିଳୁଥିବା ଅର୍ଥ କିଭଳି ଖର୍ଚ୍ଚ ହେଉଛି, ସେନେଇ ଚାଷୀଙ୍କୁ ସିଧାସଳଖ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ୬ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ ନୂଆପଡ଼ା ଚାଷୀ ନବୀନ ଠାକୁରଙ୍କ ସହ କଥା ହୋଇଛନ୍ତି ନରେନ୍ଦ୍ର ମୋଦି । ଏହି କ୍ରମରେ ନୂଆପଡ଼ା ଚାଷୀ, ମୋଦି ସରକାରଙ୍କ ଟଙ୍କାକୁ କିଭଳି ଖର୍ଚ୍ଚ କରିଛନ୍ତି, ତାହା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଥମୁନଥିବା ବେଳେ କୃଷି ଆଇନକୁ ନେଇ ପୁଣି ଥରେ ଖୋଲାଖୋଲି ଚାଷୀଙ୍କ ସହ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ୍ ଯୋଜାନାରେ ୯ କୋଟି ଚାଷୀଙ୍କ ଖାତାକୁ ସିଧାସଳଖ ୧୮ହଜାର କୋଟି ପଠାଇଛନ୍ତି ନରେନ୍ଦ୍ର ମୋଦି । ଆଉ ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀ ଗ୍ରହଣ କରିଥିବା ଆଭିମୁଖ୍ୟକୁ ଖୋଲାଖୋଲି ସମାଲୋଚନା କରିଛନ୍ତି ।

କୃଷି ଆଇନକୁ ନେଇ ଚାଷୀଙ୍କ ଭିତରେ ଉଠୁଥିବା ପ୍ରଶ୍ନର ଉତର ରଖି, ପ୍ରଧାନମନ୍ତ୍ରୀ କହିଛନ୍ତି-ଚାଷୀଙ୍କୁ ଏମଏସପି ମିଳିବ, ପୂର୍ବ ଭଳି ମଣ୍ଡି ବ୍ୟବସ୍ଥା ଚାଲୁ ରହିିବ । ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି କିଛି ରାଜନୈତିକ ଦଳ କେବଳ ଚର୍ଚ୍ଚାରେ ରହିବା ପାଇଁ ପ୍ରତିବାଦ କରୁଛନ୍ତି । ଆଉ ଏସବୁ ଭିତରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି- କୃଷି ଆଇନକୁ ଅନ୍ତତଃ ବର୍ଷେ କିମ୍ବା ଦୁଇ ବର୍ଷ ଲାଗୁ କରିବାକୁ ଦିଆଯାଉ । ଆବଶ୍ୟକ ହେଲେ ଯାହା ସଂଶୋଧନ ସବୁ କରିବାକୁ ମୋଦି ସରକାର ପ୍ରତିଶ୍ରୁତି ବନ୍ଧ ।

ଏପଟେ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସେମିତି ଚାଲିଛି, ଯେମିତି ଚାଲିଥିଲା । ଚାଷୀ ନିଜ ଜିଦରେ ଅଟଳ ଥିବା ବେଳେ ସରକାର ନୂଆ ଆଇନ୍ ଲାଗୁ କରିବାକୁ ଉଦ୍ୟମ ଜରି ରଖିଛନ୍ତି ।