ପଞ୍ଜାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିଲେନି ପ୍ରଧାନମନ୍ତ୍ରୀ । ଫ୍ଲାଏ ଓଭର ଉପରେ ଅଟକି ରହିଲା ମୋଦିଙ୍କ କାରକେଡ୍ ।

Advertisment
ପଞ୍ଜାବରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିଲେନି ପ୍ରଧାନମନ୍ତ୍ରୀ । ଫ୍ଲାଏ ଓଭର ଉପରେ ଅଟକି ରହିଲା ମୋଦିଙ୍କ କାରକେଡ୍ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି । ବୁଧବାର ପଞ୍ଜାବ ଫିରୋଜପୁର ଗସ୍ତରେ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ହୁସୈନୱାଲା ସ୍ଥିତ ଫ୍ଲାଏ-ଓଭରରେ ଅଟକାଇଲେ କିଛି ପ୍ରଦର୍ଶନକାରୀ । ପ୍ରାୟ ୨୦ ମିନିଟ୍ ଧରି ତାଙ୍କ ଗାଡି ଅଟକିବା ପରେ ଭଟିଣ୍ଡା ଏୟାରପୋର୍ଟକୁ ଫେରି ଆସିଥିଲା ପ୍ରଧାନମନ୍ତ୍ରୀଙ୍କ କନଭଏ । ଆଉ ଭଟିଣ୍ଡା ଏୟାରପୋର୍ଟରେ ପହଁଚିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପିଏମ ମୋଦୀ କହିଥିଲେ, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଦେବ, ମୁଁ ଭଟିଣ୍ଡା ଏୟାରପୋର୍ଟ ପର୍ଯ୍ୟନ୍ତ ଜୀବନ୍ତ ପହଁଚିପାରିଛି ।.

ବୁଧବାର ପଞ୍ଜାବ ହୁସୈନୱାଲା ପୂର୍ବରୁ ଥିବା ଫ୍ଲାଏ ଓଭରବ୍ରିଜ୍ ଉପରେ ପ୍ରାୟ ୧୫-୨୦ ମିନିଟ୍ ଧରି ଅଟକି ରହିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ୍ । ସାମ୍ନାରେ ଚାଲିଥିଲା ଆନ୍ଦୋଳନ, ଆଉ ପ୍ରଧାନମନ୍ତ୍ରୀଙ୍କ କାରକେଡ ଯିବାକୁ ଆଗକୁ ରାସ୍ତା ନଥିଲା । ଭଟିନ୍ଦା ଏୟାରପୋର୍ଟରେ ଓହ୍ଲାଇବା ପରେ ମୋଦୀ ହେଲିକପ୍ଟରରେ ହୁସୈନିୱାଲା ଯିବାର ଥିଲା । କିନ୍ତୁ ପାଗ ଖରାପ କାରଣରୁ ସଡକପଥରେ ମୋଦୀଙ୍କ କାରକେଡ୍ ଯାଇଥିଲା । କିନ୍ତୁ ଆନ୍ଦୋଳନ କାରଣରୁ ଫ୍ଲାଏ ଓଭରବ୍ରିଜ୍ ଉପରେ କାରକେଡ୍ ଅଟକି ରହିଥିଲା ।

ତେବେ ଆଗକୁ କୌଣସି ବାଟ ନପାଇ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ପୁନର୍ବାର ଭଟିନ୍ଦା ଏୟାରପୋର୍ଟକୁ ଫେରି ଆସିଥିଲା । ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଏକ କଥା କହିଥିଲେ । ନ୍ୟୁଜ୍ ଏଜେନ୍ସି ଏସିଆନ ନ୍ୟୁଜ୍ ଇଂଟରନ୍ୟାସନାଲ ବା ଏଏନଆଇ ଟ୍ୱିଟ୍ କଲା ଯେ, ପ୍ରଧାନମନ୍ତ୍ରୀ ଏୟାରପୋର୍ଟରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ –“ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଦେବେ, ମୁଁ ଭଟିନ୍ଦା ଏୟାରପୋର୍ଟ ପର୍ଯ୍ୟନ୍ତ ଜୀବନ୍ତ ପହଁଚିପାରିଛି ।”

ଏହି ଘଟଣାପରେ ଗୃହ ମନ୍ତ୍ରାଳୟ କହିଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହା ସବୁଠାରୁ ବଡ ତ୍ରୁଟି ଥିଲା । ପଞ୍ଜାବ ସରକାରଙ୍କ ଠାରୁ ଏନେଇ ରିପୋର୍ଟ ମାଗିଛି ଗୃହ ମନ୍ତ୍ରାଳୟ ଏବଂ କାହାର ଦୋଷ ଥିଲା ତାଙ୍କୁ ଚିହ୍ନଟ କରାଯାଉ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯାଉ । ତେବେ ଜଣେ ସରକାରୀ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକିଥିବା ଫ୍ଲାଏଓଭର ବ୍ରିଜ୍ରେ ପଞ୍ଜାବ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଲା-ସୁତୁରା ଥିବା ଲକ୍ଷ୍ୟ କରାଯାଇଥିଲା । କାରଣ ପ୍ରଧାନମନ୍ତ୍ରୀ କେଉଁ ବାଟରେ ଯିବେ, ତାହା କେବଳ ପଞ୍ଜାବ ପୋଲିସ ଜାଣିଥିଲା ।

ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ରାଲି ହେବାର ଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ପହଁଚି ନପାରିବାରୁ ଏହି ରାଲିକୁ ବାତିଲ କରିଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ୱିଟ କରି କହିଛନ୍ତି, ଏଭଳି ଏକ ପରିସ୍ଥିତିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜୀତ ସିଂହ ଚନ୍ନି ଫୋନ୍ ମଧ୍ୟ ଉଠାଇ ନଥିଲେ । ସେ ଅଭିଯୋଗ କରିଛନ୍ତି, ନିର୍ବାଚନରେ ହାରିଯିବା ଭୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ କଂଗ୍ରେସ ସରକାର ଚେଷ୍ଟା କରୁଛନ୍ତି ।

ଆନ୍ଦୋଳନକାରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ କାରକେଡ୍କୁ ଅଟକାଇବା ଏକ ନିନ୍ଦନୀୟ ଘଟଣା  ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ ତ୍ରୁଟି । ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏନେଇ କୌଣସି ନିଷ୍ପତ୍ତି ନନେବା ମାମଲାକୁ ଆହୁରି ଖରାପ କରିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe