ପାରା ଅଲିମ୍ପିକ୍ସରେ ପଦକ ବିଜେତା ଭାବିନାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : କହିଲେ, ଇତିହାସ ରଚିଛନ୍ତି ଭାବିନା, ଯୁବ ଖେଳାଳୀଙ୍କ ପାଇଁ ସାଜିବେ ପ୍ରେରଣା

62

କନକ ବ୍ୟୁରୋ: ପାରା ଅଲିମ୍ପିକ୍ସ ଟେବୁଲ ଟେନିସ୍ରେ ରୌପ୍ୟ ପଦକ ଜିତିବା ପରେ ଭାବିନାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ତାଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହ ଇତିହାସ ଲେଖିଥିବା କହିଛନ୍ତି । ଏହା ସହ ମୋଦି ଟ୍ୱିଟ୍ କରି ମଧ୍ୟ ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଲେଖିଛନ୍ତି ଭାବିନା ଇତିହାସ ରଚିଛନ୍ତି । ଐତିହାସିକ ରୌପ୍ୟ ପଦକ ସହ ଘରକୁ ଫେରିବେ । ତାଙ୍କ ଜୀବନର କାହାଣୀ ପ୍ରେରଣାଦାୟୀ । ଯାହାକି ଯୁବ ଖେଳାଳିଙ୍କୁ ଅଧିକ ଆକର୍ଷିତ କରିବ । ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଭାବିନାଙ୍କ ନିଷ୍ଠା ଦେଶକୁ ଗୌରବାନ୍ୱିତ କରିଛି ।

ସେପଟେ, ରୌପ୍ୟ ପଦକ ଜିତିବା ପରେ ଭାବିନା କହିଛନ୍ତି ଫାଇନାଲ ମୁକାବିଲାରେ ସେ ସାମାନ୍ୟ ନରଭସ ଥିଲେ । ଖେଳର ରଣନୀତି ସେ ଠିକ୍ ଭାବେ ପ୍ରୟୋଗ କରିପାରିନଥିଲେ । ଆଗାମୀ ଦିନରେ ସେ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ସେ ତାଙ୍କର ସିଲଭର ମେଡାଲ ଦେଶବାସୀଙ୍କୁ ସମର୍ପଣ କରିଛନ୍ତି । ଏହା ସହ ସହଯୋଗ ପାଇଁ କୋଚ, ପରିବାର ସଦସ୍ୟ, ସାଙ୍ଗ ସାଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଭାବିନାଙ୍କ ପରିବାରରେ ଖୁସିର ମାହୋଲ । ପରିବାର ଲୋକ ଓ ସାଙ୍ଗ ସାଥୀ ଏକାଠି ହୋଇ ଗରବା ଡ୍ୟାନ୍ସ କରିଥିଲେ । ଭାବିନାଙ୍କ ବାପା ମାଆ ମଧ୍ୟ ଗରବା ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହା ସହ ବାଣ ଫୁଟାଇ, ମିଠା ଖୁଆଇ ସେଲିବ୍ରେସନ୍ କରିଛନ୍ତି ।