ବାଇଡେନଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ ମୋଦି: ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା; କହିଲେ ଆହୁରି ମଜଭୂତ ହେବ ଦ୍ୱିପାକ୍ଷୀକ ସଂପର୍କ

କମଲା ହାରିସଙ୍କୁ ବି, ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

156

କନକ ବ୍ୟୁରୋ: ବାଇଡେନଙ୍କୁ ଫୋନ କଲେ ମୋଦି । ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରାୟ ୧୦ ଦିନ ପରେ ପ୍ରେସିଡେଂଟ ଇଲେକ୍ଟ ଜୋ ବାଇଡେନଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଙ୍ଗଳବାର ରାତିରେ ମୋଦି ଫୋନ କରିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାପରେ ଭାରତ ସହିତ ଆମେରିକାର ସଂପର୍କ ଆହୁରି ନୀବିଡ ହେବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି । ଦ୍ୱିପାକ୍ଷୀକ ସଂପର୍କକୁ ଅଧିକ ମଜଭୂତ କରିବା ପାଇଁ ଦୁଇ ନେତା ସେମାନଙ୍କ ଅଗ୍ରାଧିକାର ପ୍ରସଙ୍ଗରେ କଥା ହୋଇଛନ୍ତି । ସେହିପରି କୋଭିଡ୍, ଜଳବାୟୁ ପରିବର୍ତନ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅସ୍ଥିରତାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ ନବ ନିର୍ବାଚିତ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବିଜୟ ଉଭୟ ଭାରତ ଓ ଆମେରିକା ବାସିନ୍ଦାଙ୍କ ପାଇଁ ଗର୍ବର ବିଷୟ ଏବଂ ଦୁଇ ଦେଶର ସଂପର୍କକୁ ଆହୁରି ମଜଭୂତି ଦେବ ବୋଲି ମୋଦି କହିଛନ୍ତି । ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟସଙ୍କର ମଧ୍ୟ ବାଇଡେନଙ୍କୁ ନେଇ ମନ୍ତବ୍ୟ ରଖିଥିଲେ । ଭାରତ ପାଇଁ ସେ ନୂଆ ନୁହନ୍ତି ବୋଲି କହିଥିଲେ ଜୟଶଙ୍କର । ଓବାମା ପ୍ରଶାସନରେ ସେ ଉପରାଷ୍ଟ୍ରପତି ଥିବା ସମୟରେ ନୂଆଦିଲ୍ଲୀ ସହିତ ହ୍ୱାଇଟହାଉସର ନୀବିଡତା ବଢିଥିଲା ବୋଲି ସେ ପ୍ରଶଂସା କରି କହିଥିଲେ ।