ମାସ୍କ ପିନ୍ଧିଲେ ପ୍ରଧାନମନ୍ତ୍ରୀ । ସଂକ୍ରମଣରୁ ରକ୍ଷା ପାଇଁ ଘର ତିଆରି ମାସ୍କ ପିନ୍ଧିଲେ, ଦେଶବାସୀଙ୍କୁ ମାସ୍କ ପିନ୍ଧିବାପାଇଁ ସଚେତନ କରାଇଲେ ।

355

କନକ ବ୍ୟୁରୋ: କରୋନା ଭୂତାଣୁ ରୋକିବା ଦିଗରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏବଂ କେତେକ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବୈଠକ ବେଳେ ମୋଦି ଘର ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ଯଦି କାହା ପାଖରେ କ୍ଲିନିକାଲ ମାସ୍କ ନାହିଁ ତେବେ ସେ ନିର୍ଦନ୍ଦ୍ୱରେ ଘର ତିଆରି ମାସ୍କ ପିନ୍ଧିପାରିବ ବୋଲି ଏହାଦ୍ୱାରା ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେସିଂ ଜରିଆରେ ହୋଇଥିବା ଏହି ବୈଠକରେ ମୋଦୀ ଏକ ଘର ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଧଳା କପଡାରେ ତିଆରି ହୋଇଥିବା ଏକ ମାସ୍କ ପିନ୍ଧି ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଘର ତିଆରି ମାସ୍କ ପିନ୍ଧି ଦେଶବାସୀଙ୍କୁ ସନ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ଯଦି କାହା ପାଖରେ କ୍ଲିନିକାଲ ମାସ୍କ ବା ଅନ୍ୟ କୌଣସି ମାସ୍କ ନାହିଁ ତେବେ ସେ ନିର୍ଦନ୍ଦ୍ୱରେ ଘର ତିଆରି ମାସ୍କ ପିନ୍ଧିପାରିବ । ଯାହାକୁ ସରକାର ମଧ୍ୟ ବେଶ ଗୁରୁତ୍ୱ ଦେଉଛନ୍ତି ।

ଦେଶର ଅନେକ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏକ ଗବେଷଣାରୁ ଜଣାପଡିଛି ମାସ୍କ ପିନ୍ଧୁଥିବା ଲୋକ ଅପେକ୍ଷାକୃତ ଭାବେ କମ ସଂକ୍ରମଣ ହୋଇଛନ୍ତି । ଏହି ତଥ୍ୟ ଆସିବା ପରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଉଛନ୍ତି ସରକାର ।

ଏହି ବୈଠକରେ ସାମିଲ ହୋଇଥିବା ପ୍ରାୟ ସମସ୍ତ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ମାସ୍କ ପିନ୍ଧି ଏହି ବୈଠକରେ ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକର ଏକ ଫଟୋକୁ ସେୟାର କରିଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋୟଲ । ଏହାସହ ସେ ଲେଖିଛନ୍ତି ମୋଦୀଙ୍କ ପରି ସମସ୍ତେ ସୁରକ୍ଷିତ ରହିବା ପାଇଁ ସତର୍କ ହେବା ଜରୁରୀ । ପ୍ରଧାନମନ୍ତ୍ରୀଙ୍କ ପରି ଘର ତିଆରି ମାସ୍କ ପିନ୍ଧିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପୀୟୂଷ ଗୋୟଲ ।