ମୁହଁରେ ମାସ୍କ ପିନ୍ଧି ସାମନାକୁ ଆସିଲେ ପ୍ରଧାନମନ୍ତ୍ରୀ: ଭିଡିଓ କନ୍ଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ମୋଦି

କରୋନା ମୁକାବିଲା ପାଇଁ ତାଲାବନ୍ଦ ପ୍ରସଙ୍ଗରେ ନେଲେ ମତାମତ: ସାରା ଦେଶରେ ବଢିପାରେ ଲକଡାଉନ ଅବଧି

873

କନକ ବ୍ୟୁରୋ: ମୁହଁରେ ମାସ୍କ ପିନ୍ଧି ସାମନାକୁ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମୋଦି । କରୋନା ମୁକାବିଲା ପାଇଁ ତାଲାବନ୍ଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମାନଙ୍କ ମତାମତ ନେଇଛନ୍ତି । ଆସନ୍ତା ୧୪ରେ ସାରା ଦେଶରେ ଲକଡାଉନ ସରୁଥିବା ବେଳେ ଅବଧି ବଢାଇବାକୁ ନେଇ ସମୀକ୍ଷା କରାଯାଉଛି । ତେବେ କେନ୍ଦ୍ରର ନିଷ୍ପତି ପୂର୍ବରୁ ଓଡିଶା ସରକାର ତାଲାବନ୍ଦର ଅବଧି ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି ।

ସେହିପରି ତାଲାବନ୍ଦ ଅବଧି ବଢାଇବା ନେଇ ରାଜ୍ୟ କ୍ୟାବିନେଟର ସୁପାରିସ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । ଏହି ଘୋଷଣାର ୨୪ ଘଂଟା ନପୁରୁଣୁ ପଂଜାବ ସରକାର ମଧ୍ୟ ମେ ୧ ତାରିଖ ଯାଏଁ ତାଙ୍କ ରାଜ୍ୟରେ ତାଲାବନ୍ଦ ଅବଧି ବଢାଇଛନ୍ତି । କର୍ଣ୍ଣାଟକ ସରକାର ବି ଏହି ଅବଧି ବଢାଇବା ନେଇ ଆଲୋଚନା ଜାରି ରଖିଛନ୍ତି । ପୂର୍ବରୁ ତେଲେଙ୍ଗାନା ମଧ୍ୟ ଏହି ଅବଧି ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରି ସାରିଛି । ବର୍ତମାନର ପରିସ୍ଥିତିରେ ଅଧିକାଂଶ ରାଜ୍ୟ ନବୀନ ସରକାରଙ୍କ ପଦାନୁସରଣ କରି ଲକ୍ଡାଉନ୍ ଅବଧୀ ବଢାଇବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସେପଟେ ଦେଶରେ କରୋନା ପାଇଁ ଜାରି ହୋଇଥିବା ତାଲାବନ୍ଦରେ ସବୁଠି ଝୁଲୁଛି ତାଲା । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ବାଦ୍ ଦେଲେ ଆଉ ସବୁଥିରେ ତାଲା ଝୁଲୁଛି । ଏହା ମଧ୍ୟରେ କେନ୍ଦ୍ର ସରକାର କରିଛନ୍ତି ବଡ ଘୋଷଣା । ତାଲାବନ୍ଦରୁ ବାଦ୍ ପଡିଛି ମତ୍ସ୍ୟଚାଷ । ମତ୍ସ୍ୟଚାଷ ସହିତ ଜଡିତ ସମସ୍ତ ବ୍ୟବସ୍ଥା ଉପରେ କାମ କରିବ ନାହିଁ ତାଲାବନ୍ଦ କଟକଣା । ମତ୍ସ୍ୟଚାଷ, ମତ୍ସ୍ୟବିହନ, ମତ୍ସ୍ୟ ଖାଦ୍ୟ, ମାଛ ବିକ୍ରି ପାଇଁ ପ୍ୟାକିଂ, ସିଲିଂ ସବୁ ପ୍ରକ୍ରିୟା ଉପରୁ କଟକଣା ହଟାଇବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଏହା ଫଳରେ ଏବେ ମତ୍ସ୍ୟଚାଷୀ ମତ୍ସଚାଷ କରିବା ସହ ମାଛ ଧରିବାକୁ ଯାଇପାରିବେ । ସେହିପରି ଯେଉଁମାନେ ଆକ୍ୱାରିୟମ ମାଛ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ମଧ୍ୟ ଏଥିରୁ ବାଦ୍ ଦେବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି ।