କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟଣାକୁ ନେଇ ଏବେ ବିଜେପି ଓ କଂଗ୍ରେସ ମୁହାଁମୁହିଁ । ଆଉ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ଅନ୍ୟପଟେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ।ବରିଷ୍ଠ ଆଇନଜୀବୀ ମନିନ୍ଦିର ସିଂ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଆବେଦନରେ କୁହାଯାଇଛି, ସୁରକ୍ଷାରେ ଏଭଳି ତ୍ରୁଟି ଗ୍ରହଣ ଯୋଗ୍ୟ ନୁହେଁ । ଏଥିପାଇଁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଉ । ପଞ୍ଜ।।ବ ସରକାରଙ୍କୁ ବି ଉଚିତ ନିର୍ଦ୍ଦେଶ ଦିଆଯାଉ । ଆସନ୍ତାକାଲି ଏହାର ଶୁଣାଣି ହୋଇପାରେ । ଗତକାଲି ଏହି ଘଟଣାକୁ ନେଇ ପଞ୍ଜାବ ସରକାର ଓ ବିଜେପି ମୁହାଁମୁହିଁ ହୋଇଥିଲେ ।

Advertisment

ଅନ୍ୟପଟେ ଏହି ଘଟଣା ପରେ ଆକ୍ସନକୁ ଆସିଛନ୍ତି ପଞ୍ଜାବର ଚନ୍ନି ସରକାର । ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର । ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମେହତାବ ସିଂ ଗିଲ୍ ଓ ପ୍ରମୁଖ ସଚିବ ଅନୁରାଗ ବର୍ମା ରହିଛନ୍ତି । ୩ ଦିନ ଭିତରେ କମିଟି ତାହାର ରିପୋର୍ଟ ଦେବ ।

ଗତକାଲି ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗମ୍ଭୀର ତ୍ରୁଟି ଦେଖାଦେଇଥିଲା । ମୋଦିଙ୍କ ଗାଡି ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟ ଅଟକିଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଘଟଣାକୁ ନିଜ ଜୀବନ ପ୍ରତି ବିପଦ ଦର୍ଶାଇଥିଲେ । ପ୍ଲାଇଓଭରରେ ଅଟକିବା ପରେ ବିନା ରାଲି କରି ଦିଲ୍ଲୀ ଫେରିଆସିଥିଲେ ପ୍ରଧାନମନ୍ତ୍ରୀ । ବିଜେପି ନେତା ଏହି ଘଟଣା ପାଇଁ ପଂଜାବର ଚନ୍ନି ସରକାରଙ୍କୁ ଦାୟୀ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଘଟଣା ନେଇ ୫ଟି ପ୍ରଶ୍ନ ଉଠୁଛି, ପ୍ରଥମ କଥା ହେଲ, ପ୍ରଧାନମନ୍ତ୍ରୀଙ୍କ ରୁଟକୁ କିଏ ଗ୍ରୀନ ସିଗନାଲ ଦେଇଥିଲା । ପ୍ରଧାନମନ୍ତ୍ରୀ ଗାଡି ଫସିବା ପରେ ସ୍ଥାନୀୟ ଅଂଚଳକୁ କାହିଁକି ତତକାଳ ଖାଲି କରାଗଲା ନାହିଁ । ଏମର୍ଜେନ୍ସି ରୁଟ ନେଇ ପୁଲିସର କି ପ୍ଲାନ ଥିଲା । ପ୍ରଦର୍ଶନକାରୀଙ୍କୁ କିଭଳି ମିଳିଥିଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅପଡେଟ୍ । ମୋଦିଙ୍କୁ ସ୍ୱାଗତ କରିବାକୁ ପଂଜାବର ଡିଜିପି ଓ ମୁଖ୍ୟଶାସନ ସଚିବ କାହିଁକି ଯାଇନଥିଲେ ?

ଏସବୁ ଭିତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚନ୍ନି କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ନଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲି । ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ସଭାସ୍ଥଳକୁ ଆସିବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ରୁଟ୍ ପ୍ଲାନ ବଦଳିଥିଲା ଏବଂ ସେ ସଡକପଥରେ ଆସିଥିଲେ । ରାଜନୈତିକ ଆକ୍ରୋଶ ରଖି ବିଜେପି ପଞ୍ଜାବ ସରକାରଙ୍କ ଉପରେ ଅଭିଯୋଗ ଆଣୁଛି । ପ୍ରଧାନମନ୍ତ୍ରୀଙ୍କ ରାଲିରେ ୭୦ ହଜାର ଚୌକି ପଡିଥିଲା କିନ୍ତୁ ସଭାସ୍ଥଳକୁ ମାତ୍ର ୭୦୦ ଲୋକ ଆସିଥିଲେ ।
କଣ ଥିଲା ପୂରା ଘଟଣା?

ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ଆଉ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା । ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି । ଏପରିକି ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ମୋଦୀ ବଠିଣ୍ଡାରେ ପହଞ୍ଚିଥିଲେ । ମେଘୁଆ ପାଗ ଯୋଗୁ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ । ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା ।
ତେବେ ରାଷ୍ଟ୍ରୀୟ ସହିଦ ସ୍ମାରକୀ ଠାରୁ ୩୦ କିଲୋମିଟର ଦୂରରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ଥିବା ବେଳେ ଏକ ଫ୍ଲାଏଓଭରରେ ଅଟକିବାକୁ ପଡିଲା । କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ । ଆଉ ଉକ୍ତ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ଫଶି ରହିବା ପରେ ବିମାନବନ୍ଦର ଅଭିମୁଖେ ମୋଦୀଙ୍କ କାରକେଡ ବାହାରିଥିଲା । ଆଉ ଏହାକୁ ଗୃହ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ବୋଲି ଦର୍ଶାଇଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିଲା । ଯାହାକୁ ଧ୍ୟାନରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି, ବ୍ୟବସ୍ଥା କରିବା କଥା । ଏପରିକି ଜରୁରୀକାଳୀନ ସ୍ଥିତି ପାଇଁ ମଧ୍ୟ ପ୍ରସ୍ତୁତି ରହିବାର ଆବଶ୍ୟକ ଥିଲା । ଯେହେତୁ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଯାଉଥିଲେ ତେଣୁ ଅତିରିକ୍ତ ପୋଲିସ ନିୟୋଜିତ କରିବା କଥା । ଯାହା କରାଯାଇନଥିଲା । ଯେଉଁଥିପାଇଁ ପଞ୍ଜାବ ସରକାରଙ୍କୁ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ଦେବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।