୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । କହିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି ।

720

କନକ ବ୍ୟୁରୋ : ଚଣ୍ଡିଖୋଲରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳଙ୍କ ଉପସ୍ଥିତିରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଆଜି ଓଡ଼ିଶାରେ ବିକାଶର ନୂଆ ଧାରା ପ୍ରବାହିତ ହେବାକୁ ଯାଉଛି । ଆଜି ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ । ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ଅତୁଳନୀୟ । ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି । ଏହି ବିକାଶମୂଳକ ପ୍ରକଳ୍ପ ଜରିଆରେ ନିଯୁକ୍ତି ସୃଷ୍ଟି ହେବ । ଆଜି ଦେଶରେ ଏମିତି ସରକାର ଅଛି ଯିଏ ବର୍ତ୍ତମାନ ପାଇଁ ଚିନ୍ତା କରୁଛି ଏବଂ ବିକଶିତ ଭାରତର ସଂକଳ୍ପର ନେଇ ଭବିଷ୍ୟତ ପାଇଁ ବି କାମ କରୁଛି । ପୂର୍ବ ଭାରତର ବିଭିନ୍ନ ରାଜ୍ୟକୁ ଅଧିକରୁ ଅଧିକ ଫୋକସ କରାଯାଉଛି । ପୂର୍ବ ତୁଳନାରେ ଅଧିକ ଦ୍ରୁତ ଗତିରେ ବିକାଶମୂଳକ ପ୍ରକଳ୍ପର କାମ ହେଉଛି । ୨୦୧୪ ପରେ ଏମିତି ଅନେକ ପ୍ରକଳ୍ପକୁ ପୂରା କରାଯାଇଛି ଯାହା ଦୀର୍ଘବର୍ଷ ଧରି ଅଟକି ରହିଥିଲା । ଦେଶରେ ଏବେ ଶ୍ରମ ସଂସ୍କୃତି ବଦଳିଛି । ପୂର୍ବ ଭାରତକୁ ପ୍ରାକୃତିକ ସମ୍ପଦର ଆଶୀର୍ବାଦ ମିଳିଛି । ଓଡ଼ିଶାକୁ ଆହୁରି ବିକାଶପଥରେ ଆଗେଇ ନେବାକୁ ଆମେ ସଂକଳ୍ପ ନେଇଛୁ । ଗତ ୧୦ ବର୍ଷରେ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରି ଆସିଛୁ ଏବଂ ଆଗକୁ ମଧ୍ୟ ସହଯୋଗ ଜାରି ରଖିବୁ ।