କନକ ବ୍ୟୁରୋ : ବିଜେପି- ବିଜେଡି ମେଂଟ ଚର୍ଚ୍ଚା ଭିତରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୁଣଇ ଗୋଟିଏ ମଂଚରେ ବସିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସିଧା ଚଣ୍ଡୀଖୋଲ ଯାଇଥିଲେ ପ୍ରଧାନମନ୍ତ୍ରୀ । ଚଣ୍ଡୀଖୋଲରେ ସରକାରୀ କାର୍ଯ୍ୟକ୍ରମରେ ୧୯, ୬୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ପ୍ର୍ରଧାନମନ୍ତ୍ରୀ । ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ । ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ୮ ଥାକିଆ ରାସ୍ତାର ଶିଳାନ୍ୟାସ, ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଅନେକ ପ୍ରକଳ୍ପର ଲୋକାର୍ପଣ, ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦ୍ଘାଟନ । ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ଯାଏଁ ୩୪୪ କିମି ପାଇପ୍ ଲାଇନର ଉଦ୍ଘାଟନ । ୧୬୨ କିମିର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ୍ ଦୋହରୀକରଣର ଉଦ୍ଘାଟନ । କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ କରିଛନ୍ତି । ଏହାସହ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ଯାଜପୁର ଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କେଂଟନର ଟ୍ରେନ୍ ସେବା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦୀ ।

ସେପଟେ ମୋଦୀ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଚଣ୍ଡିଖୋଲ ଉଦଘାଟନୀ ସଭାରେ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ । କହିଛନ୍ତି ଓଡିଶାର ବିକାଶ କ୍ଷେତ୍ରରେ ସବୁ ବେଳେ ସହଯୋଗର ହାତ ବଢେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ।