କୋଭିଡ୍ ଟିକାକରଣରେ ଭାରତର ରେକର୍ଡ : ଦେଶରେ ୧୦୦ କୋଟି ଟପିଲା ଟିକାକରଣ

90

କନକ ବ୍ୟୁରୋ : ଇତିହାସ ରଚିଲା ଭାରତ । ଦେଶରେ ୧୦୦ କୋଟି ଟପିଲା କରୋନା ଟିକାକରଣ । ଏହି ସଫଳତା ସହ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି, ଯେଉଁଠି ଏତେ ଦ୍ରୁତ ଗତିରେ ଟିକାକରଣ ୧୦୦ କୋଟି ଟପିଛି । ଏହି ସଫଳତା ପରେ ଟୁଇଟ କରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ସେ ଲେଖିଛନ୍ତି ‘ଅଭିନନ୍ଦନ ଭାରତ! ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱର ଏହା ହେଉଛି ଫଳାଫଳ ।

 

‌ତେବେ ଭାରତକୁ ଏତେ ବଡ଼ ସଫଳତା ମିଳିବା ପରେ ଏହି ଦିନକୁ ଖବୁ ଧୁମଧାମରେ ପାଳନ କରିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା । କରୋନା ଟିକାକରଣ ୧୦୦ କୋଟି ଟପିବା ପରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ କୈଲାଶ ଖେରଙ୍କ ଏକ ଗୀତ ଏବଂ ଲାଲକିଲ୍ଲାରେ ଏକ ଅଡିଓ-ଭିଜୁଆଲ୍ ଫିଲ୍ମ ଲଞ୍ଚ କରିବେ। ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍‌ ଯୋଗେ ଏ ସଂପର୍କରେ ଘୋଷଣା ହେବ । ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ବିଜେପିର ନେତାମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ। ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତରପ୍ରଦେଶର ଲ‌କ୍ଷ୍ନୌ ଗସ୍ତ କରିବେ ।

ଏତେ ବଡ଼ ସଫଳତା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ଆଜି ଆରଏମଏଲ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅନେକ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଅନ୍ୟପକ୍ଷରେ, ଏହି ମାଇଲଖୁଣ୍ଟ ହାସଲ କରିଥିବାରୁ ଭାରତକୁ ଅଭିନନ୍ଦନ ଜଣାଇ ‘ହୁ’ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତକୁ ଶୁଭେଚ୍ଛା‌ ।

ଦୃଢ଼ ରାଜନୈତିକ ନେତୃତ୍ୱ, ଅନ୍ତଃବିଭାଗୀୟ ସମନ୍ବୟ ଏବଂ ସମଗ୍ର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମ ବିନା ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଅସାଧାରଣ କାମ କରିବା ସମ୍ଭବ ନୁହେଁ । ଉଲ୍ଲେଖଯୋଗ୍ୟ, ଦେଶରେ ଟିକାକରଣ ଅଭିଯାନ ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଆରମ୍ଭ ହେବାର ୯ ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦ କୋଟି ଟିକାର ମାଇଲଖୁଣ୍ଟ ହାସଲ କରିଛି ।