ଉଧମପୁରରେ ମୋଦୀଙ୍କ ବଡ ଘୋଷଣା । ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ ।

132

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ଉଧମପୁରରେ ଏକ ରାଜନୈତିକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ୨ଟି ବଡ ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି, ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ଏବଂ ଖୁବଶୀଘ୍ର ଏଠାରେ ନିର୍ବାଚନ ହେବ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବାରମ୍ବାର ଏଠାରେ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି ବିଭିନ୍ନ ରାଜନୈତିକ ଦଳ ।

୨ଟି ବଡ ଘୋଷଣା ସହ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଦେଶର ଲୋକଙ୍କ ପାଇଁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ଟିକିଏ ବି ଚିନ୍ତା ନାହିଁ । ଲୋକଙ୍କ ଭାବନା ସହ ଖେଳିବାରେ ସେମାନେ ମଜା ପାଉଛନ୍ତି । ନବରାତ୍ରୀରେ ଆମିଷ ଖାଇ ଏହାର ଭିଡ଼ିଓ ଛାଡି ଲୋକଙ୍କ ଭାବନା ସହ ଖେଳୁଛନ୍ତି । ଏଭଳି କରି ବିରୋଧୀ କାହାକୁ ଖୁସି କରିବାକୁ ଚାହୁଁଛନ୍ତି । ଏହି ପ୍ରସଙ୍ଗ ଉଠାଇବା ପରେ କିଛି ଲୋକ ମୋତେ ଗାଳି ଦେବେ । କିନ୍ତୁ ଯେତେବେଳେ କୌଣସି କଥା ସହିହେବନି ସେତେବେଳେ ଦେଶବାସୀଙ୍କୁ ଠିକ୍ ରାସ୍ତା ଦେଖାଇବା ମୋର ଦାୟିତ୍ୱ । ମୋଗଲମାନଙ୍କ ଚିନ୍ତାଦ୍ୱାରାକୁ ଆଣି ବିରୋଧୀ ରାଜନୀତି କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୨୦୧୪ରେ ଯେତେବେଳେ ମାତା ବୈଷ୍ଣୋଦେବୀ ମନ୍ଦିର ଆସିଥିଲି ସେତେବେଳେ ଉଧମପୁରରେ ରାଲିକୁ ସମ୍ବୋଧିତ କରିଥିଲି । ଜମ୍ମୁ-କାଶ୍ମୀରର ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଥିଲି । ମୁଁ ନିଜର ଗ୍ୟାରେଣ୍ଟି ପୂରା କରିଛି । ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି ଯେତେବେଳେ ସୀମା ସେପାରିର ଆତଙ୍କବାଦୀ, ପଥରମାଡ କିମ୍ବା ଆତଙ୍କବାଦୀ ଆକ୍ରମଣ ମୁଦ୍ଦାକୁ ନେଇ ଲଢାଯିବ ନାହିଁ । ଏହି ନିର୍ବାଚନ କେବଳ ସାଂସଦ ବାଛିବା ପାଇଁ ନୁହେଁ ବରଂ କେନ୍ଦ୍ରରେ ଏକ ଶକ୍ତିଶାଳୀ ସରକାର ଗଢିବା ପାଇଁ ହେଉଛି । ଜମ୍ମୁ-କାଶ୍ମୀରରେ ଭଲ ରାସ୍ତା ନିର୍ମାଣ ହେଉଛି । ଲୋକଙ୍କୁ ଉନ୍ନତମାନର ଚିକିତ୍ସା ସେବା ମିଳୁଛି । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାଶନ ମିଳିବ । ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ପୂରଣ ହୋଇପାରୁଥିବା ଗ୍ୟାରେଣ୍ଟି ।