ଦେଶରେ ବଢ଼ୁଛି କରୋନାର ଦୈନିକ ସଂକ୍ରମଣ : ସ୍ଥିତିର ସମୀକ୍ଷା କଲେ ନରେନ୍ଦ୍ର ମୋଦୀ; ସଂକ୍ରମଣ ରୋକିବାକୁ ୫ସୂତ୍ରୀ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ

163

କନକ ବ୍ୟୁରୋ : କରୋନାର ଦୈନିକ ସଂକ୍ରମଣ ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚିଛି । ରବିବାର ଗୋଟିଏ ଦିନରେ  ଦେଶରେ ୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ସାରାଦେଶରେ ୧ ଲକ୍ଷ ୩ ହଜାର ୮୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତବର୍ଷ ସେପ୍ଟେମ୍ବର ମାସରେ ସର୍ବାଧିକ ଦୈନିକ ସଂକ୍ରମଣଠାରୁ ୫ ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ସେପ୍ଟେମ୍ବର ୧୭ରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ୯୮ ହଜାର ୭୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କୁହାଯାଉଛି ଦେଶରେ କରୋନାର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଛି ।

ଦେଶରେ ୫୨ ଦିନ ତଳେ ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଫେବ୍ରୁଆରୀ ୧୧ ତାରିଖରେ ୧୧ ହଜାର ୩୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୨ ଦିନରେ ଏହା ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବା ଦେଖାଯାଇଛି । ଏଥିସହ ଗୋଟିଏ ଦିନରେ ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେବାରେ ବିଶ୍ୱରେ ଆମେରିକା ପରେ ଭାରତ ଦ୍ୱିତୀୟ ଦେଶ ପାଲଟି ଯାଇଛି । ଗତ ଜାନୁଆରୀ ୮ ତାରିଖରେ ଆମେରିକାରେ ଗୋଟିଏ ଦିନରେ ୩ ଲକ୍ଷ ୮ ହଜାର ୯୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ବ୍ରାଜିଲରେ ମାର୍ଚ୍ଚ ୨୫ ତାରିଖରେ ଗୋଟିଏ ଦିନରେ ସର୍ବାଧିକ ୯୭ ହଜାର ୫୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ତେବେ କାହିଁକି ବଢୁଛି ଦେଶରେ କରୋନା ସଂକ୍ରମଣ ? ଏନେଇ ଗତକାଲି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି, ହଠାତ କରୋନା ସଂକ୍ରମଣ ବୃଦ୍ଧି ପାଇବାର କାରଣ ଖୋଜିଛନ୍ତି ମୋଦି । କରୋନାର ନୂଆ ମ୍ୟୁଟାଂଟ ବା ପ୍ରକାର ଏଥିପାଇଁ ଦାୟୀ ବୋଲି ହେଉଥିବା ଚର୍ଚ୍ଚାକୁ ବୈଠକରେ ଖଣ୍ଡନ କରାଯାଇଛି ।

କରୋନାର ଏହି ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ୫ ସୂତ୍ରୀ ପ୍ରସ୍ତାବ ଦେଇଛନ୍ତି । କୁହାଯାଉଛି ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ କରୋନା ପରୀକ୍ଷାକୁ ତ୍ୱରାତ୍ୱିତ କରିବାକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

କରୋନା ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ୫ ସୂତ୍ରୀ ପ୍ରସ୍ତାବ – 

୧- କରୋନା ପରୀକ୍ଷାକୁ ତ୍ୱାରାନ୍ୱିତ କରିବା
୨- ଆକ୍ରାନ୍ତଙ୍କୁ ଚିହ୍ନଟ କରି ଚିକିତ୍ସା ଯୋଗାଇବା
୩- କରୋନା ମୃତ୍ୟୁ ହାରକୁ ଯଥାସମ୍ଭବ କମାଇବା
୪- କୋଭିଡ ସତର୍କତାକୁ କଡାକଡି ପାଳନ କରିବା
୫- କରୋନା ଟିକାକରଣକୁ ଜୋରଦାର କରିବା

ମହାରାଷ୍ଟ୍ରରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପଞ୍ଜାବ ଓ ଛତିଶଗଡରେ ସଂକ୍ରମଣ ଅନୁପାତରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ତେଣୁ ଏହା ଚିନ୍ତାର ବିଷୟ ବୋଲି ମୋଦି କହିଛନ୍ତି । ଆକ୍ରାନ୍ତଙ୍କୁ ଚିହ୍ନଟ କରି ତୁରନ୍ତ ଚିକିତ୍ସା ଆରମ୍ଭ କଲେ ମୃତ୍ୟୁହାର କମା ଯାଇପାରିବ ବୋଲି ମୋଦି କହିଛନ୍ତି । ତେଣୁ ସ୍ୱାସ୍ଥ୍ୟ ଭିତିଭୂମିକୁ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି । ସେପଟେ କରୋନା ସଂକ୍ରମଣ ଅଚାନକ ବୃଦ୍ଧି ପାଇବା ଲାଗି ଲୋକଙ୍କ ଅବହେଳାକୁ ଦାୟୀ କରାଯାଇଛି । ଅର୍ଥାତ ମାସ୍କ ନପିନ୍ଧିବା, ଭିଡ ସ୍ଥାନରେ ସାମାଜିକ ଦୂରତା ନରଖିବାରୁ କରୋନା ମାମଲା ବୃଦ୍ଧି ପାଉଥିବା ବୈଠକ ପରେ କୁହାଯାଇଛି ।

ତେଣୁ ଏହାକୁ କଡାକରି କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦେଶରେ କରୋନା ଟିକାକରଣକୁ ଜୋରଦାର କରାଯିବ । ଘରୋଇ ଆବଶ୍ୟକତା ପୂରଣ ପାଇଁ ଟିକା କମ୍ପାନିଗୁଡିକ ଉତ୍ପାଦନକୁ ତ୍ୱରାନ୍ୱିତ କରିବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି ।