ଦେଶରେ କରୋନା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ସଂକ୍ରମଣ ସ୍ଥିତି ଓ ଟିକାକରଣର ବେଗ ବିଷୟରେ ଅଗବତ ହେଲେ ମୋଦି

ପରୀକ୍ଷଣ ବଢ଼ାଇବା ଓ ଟିକାକରଣକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

57

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କରୋନା ସଂକ୍ରମଣର ଏବେ ସ୍ଥିତି କିପରି ରହିଛି ଓ ଟିକାକରଣ ପ୍ରକ୍ରିୟା କିପରି ଆଗକୁ ବଢ଼ୁଛି ଏନେଇ ପ୍ରଧାନମନ୍ତ୍ରୀ ଅବଗତ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି ।

ତେବେ କେରଳ, ମହାରାଷ୍ଟ୍ର ପରି ରାଜ୍ୟରେ ଏବେ ବି ଦୈନିକ ସଂକ୍ରମଣ ମାମଲା ଚିନ୍ତାର କାରଣ ପାଲଟିଛି । ଏହାସହ ଦେଶରେ ଡେଲଟା ପ୍ଲସ୍ ଭାରିଏଂଟ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି । ଟିକା ଅଭାବ ସମସ୍ୟା ନେଇ ଟିକାକରଣ ବାଧାପ୍ରାପ୍ତ ହେବା ପେରେ ଏବେ ଟିକାକରଣ କିଛିଟା ଜୋର ଧରିଛି । ଦିନକୁ ଏକ କୋଟି ଟିକାକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।

ଏସବୁ ଭିତରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ କରୋନା ଟିକାର ମିଶ୍ରଣ କରି ବିଭିନ୍ନ ଭାରିଏଂଟ ବିରୋଧରେ ପ୍ରଭାବି ଟିକା ପ୍ରସ୍ତୁତ କରାଯାଇପାରିବ । ଏବେ ଦେଶରେ କୋଭାକସିନ ଓ କୋଭିସିଲଡ୍ ଦିଆଯାଉଛି । ଏହାସହ ଦେଶରେ ରୁଷ୍ ଟିକା ସ୍ପୁଟନିକ-ଭିକୁ ମଧ୍ୟ ଅନୁମତି ମିଳିଛି ।