କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ : ଅମ୍ଳଜାନ ଯୋଗାଣ ଓ ଔଷଧ ଯୋଗାଣ ନେଇ ଚର୍ଚ୍ଚା

ବ୍ଲାକ ଫଙ୍ଗସ ନେଇ ମଧ୍ୟ ଆଲୋଚନା କରିଥିବା ସୂଚନା

123

କନକ ବ୍ୟୁରୋ : ଦେଶରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଚ୍ଚସ୍ତରୀୟ ବୈଠକରେ ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ରାଜ୍ୟ, ଅକ୍ସିଜେନ ଅଭାବ ନେଇ ବାରମ୍ବାର ଅଭିଯୋଗ କରୁଥିବାରୁ, କିପରି ଏହା ଦୂର ହେବ, ଏ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀଙ୍କୁ ଏ ନେଇ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅକ୍ସିଜେନର ଆବଶ୍ୟକତା ୩ ଗୁଣରୁ ଅଧିକ ବଢ଼ି ଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । କେତେ ଅକ୍ସିଜେନ୍ ଉପଲବ୍ଧ ହେଉଛି, କରୋନାର ମୁକାବିଲା ପାଇଁ କେତେ ପରିମାଣର ଔଷଧ ମହଜୁଦ ରହିଛି, ସଂପୂର୍ଣ୍ଣ ସ୍ଥିତିର ସମୀକ୍ଷା କରାଯାଇଛି । କିଛି ରାଜ୍ୟରେ ଭେଂଟିଲେଟର କାର୍ଯ୍ୟକ୍ଷମ ନହୋଇ ପଡିଥିବା ବେଳେ ଏଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟଗୁଡିକୁ କହିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୋଦୀ କହିଛନ୍ତି, ଦେଶର ଫାର୍ମାଚ୍ୟୁଟିକାଲ୍ କ୍ଷେତ୍ର ବେଶ ପ୍ରଭାବଶାଳୀ, ଆବଶ୍ୟକ ଔଷଧ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସେମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିଆସୁଛି । ସେ କହିଛନ୍ତି, ରେମଡେସିଭିର୍ ସମେତ କୋଭିଡ୍ ପାଇଁ ଆବଶ୍ୟକ ଔଷଧ କିପରି ଉପଲବ୍ଧ ହେବ, ଏହା ଉପରେ ନଜର ରଖିଛନ୍ତି କେନ୍ଦ୍ର ସରକାର ।