ଆକାଶମାର୍ଗରୁ ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଥୀରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

281

କନକ ବ୍ୟୁରୋ : ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ଫୋନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଓ ଭୁବନେଶ୍ୱରର ସ୍ଥିତି ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବାତ୍ୟାର ସ୍ଥିତି ଅନୁଧ୍ୟାନ କରୁଛନ୍ତି ମୋଦି ।

ଆକାଶପଥରୁ ପୁରୀ ଓ ଭୁବନେଶ୍ୱରର ସ୍ଥିତି ଦେଖିବା ପରେ ସମୀକ୍ଷା ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଇଛି । ସମୀକ୍ଷା ବୈଠକରେ କ୍ଷୟକ୍ଷତିର ଆକଳନ କରାଯିବା ପରେ ଓଡିଶା ପାଇଁ ସହାୟତା ରାଶି ଘୋଷଣା କରିପାରନ୍ତି ମୋଦି ।

ଆଜି ପାଖାପାଖି ସକାଳ ୮ଟା ୩୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଅନ୍ୟ ବରିଷ୍ଠ ନେତା ମାନେ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହାପୂର୍ବରୁ ବାତ୍ୟା ଫୋନି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୪୦ କୋଟିର ଆଗୁଆ ସହାୟତା ରାଶି ଘୋଷଣା କରାଯାଇଥିଲା । କିନ୍ତୁ ଫୋନିର ତାଣ୍ଡବ ଯୋଗୁଁ କେତେ ଟଙ୍କାର ସମ୍ପତି ନଷ୍ଟ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।