କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ଅଣାୟତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଥିତିର ସମୀକ୍ଷା କରିଛନ୍ତି । ଟିକାକରଣ, ଔଷଧ ଓ ଅକ୍ସିଜେନ୍ ଯୋଗାଣ ନେଇ ମଧ୍ୟ ବିଭିନ୍ନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟର କୌଣସି ବିକଳ୍ପ ନଥିବାରୁ ଏହା ଉପରେ ସେ ଜୋର ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଟିକା ଅଭାବରୁ ଟିକାକରଣରେ ବାଧା ଉପୁଜୁଥିବା ଅଭିଯୋଗ ଭିତରେ ଦେଶରେ ଚାଲିଥିବା ଟିକାକରଣ ସ୍ଥିତିର ସମୀକ୍ଷା କରିଛନ୍ତି ମୋଦି ।
ପୁରା ସାମର୍ଥ ଲଗାଇ କରୋନା ଟିକା ଉତ୍ପାଦନ କରିବା ପାଇଁ ସେ ଅପିଲ୍ କରିଛନ୍ତି । ସେହିପରି ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ବଢ଼ାଇବା ସହ ନୂଆ ପ୍ଲାଂଟ ବସାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ରେମଡେସିଭିର ଓ ଅନ୍ୟ ଔଷଧ କେତେ ପରିମାଣର ଆବଶ୍ୟକତା ରହିଛି ଏବଂ କେତେ ମହଜୁଦ ଅଛି, ସେହି ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି । ଆବଶ୍ୟକ ମୁତାବକ ଔଷଧ ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କର ସହ ସମସ୍ତ ମନ୍ତ୍ରାଳୟ ସମନ୍ୱୟ ରଖି କୋଭିଡ ମୁକାବିଲା କରିବାକୁ ସେ ପରାମର୍ଶ ଦେଇଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ହସପିଟାଲରେ ବେଡ୍ ସଂଖ୍ୟା ବଢ଼ାଇବାକୁ ପାଇଁ ଆବଶ୍ୟକ ସହଯୋଗ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ଏହାସହ ସ୍ଥାନୀୟ ପ୍ରଶାସନ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଗତଥର ସମସ୍ତେ ଏକାଠି ହୋଇ କରୋନାକୁ ହରାଇ ଥିଲେ । ଏଥର ମଧ୍ୟ କରୋନା ମୁକାବିଲାରେ ଭାରତ ବିଜୟୀ ହେବ । ଏହି ବୈଠକରେ କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କେନ୍ଦ୍ର ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଆଦି ବରିଷ୍ଠ ଅଧିକାରମାନେ ସାମିଲ ହୋଇଥିଲେ ।