ଜଳବାୟୁ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀଙ୍କ ପଞ୍ଚସୂତ୍ରୀ ଫର୍ମୁଲା : ଦୁନିଆକୁ ଦେଲେ ମନ୍ତ୍ର; କହିଲେ, ଭାରତ ୪୫% ରୁ କମ କରିବ କାର୍ବନ ସ୍ତର

166

କନକ ବ୍ୟୁରୋ : ଜଳବାୟୁ ପରିବର୍ତନ ନେଇ ଗ୍ଲାସଗୋ ସମ୍ମିଳନୀରେ ଦୁନିଆକୁ ଭାରତର ପଂଚସୁତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ଜଳବାୟୁ ପରିବର୍ତ୍ତନ ନେଇ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି ତାହା ପାଳନ କରାଯାଇନାହିଁ । ଜଳବାୟୁ ପରିବର୍ତ୍ତନ ନେଇ ସାରା ବିଶ୍ୱ ଅନେକ ଯୋଜନା କରୁଛି । ଏହି ସମୟରେ ଭାରତ ପକ୍ଷରୁ ସେ ପଞ୍ଚସୂତ୍ରୀ ଫର୍ମୁଲା ରଖିଛନ୍ତି । ମୋଦୀ କହିଛନ୍ତି, କାର୍ବନ ସ୍ତରକୁ ୪୫ ପ୍ରତିଶତରୁ କମ୍ କରିବାକୁ ଭାରତ ଉଦ୍ୟମ କରୁଛି । ଭାରତ ଭଳି ବିକାଶଶୀଳ ଦେଶ, କୋଟି କୋଟି ଲୋକଙ୍କ ଗରିବୀ ଦୂର କରିବାକୁ ଲାଗିଛି । ଏହା ସତ୍ୱେ ପରିବେଶ ସୁରକ୍ଷା ପାଇଁ ଦେଶ ପ୍ରତିବଦ୍ଧତା ଦେଖାଇ ଆସିଛି ।

କୋପ୍-୨୬ ବିଶ୍ୱ ନେତାଙ୍କ ସମ୍ମଳନୀରେ ମୋଦୀ କହିଛନ୍ତି, ଭାରତର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ । ହେଲେ ମାତ୍ର ୫ ପ୍ରତିିଶତ ପ୍ରଦୂଷଣ ପାଇଁ ଦାୟୀ । ନିଜ କର୍ତବ୍ୟ ପାଳନରେ ଭାରତ କେବେ ବି ପଛରେ ପଡ଼ିନାହିଁ । ପରିବେଶ ସୁରକ୍ଷା ପାଇଁ ୫ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୩୦ ଭିତରେ ବିନା କୋଇଲାରେ ୫୦୦ ଗିଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ ଭାରତ । ୨୦୩୦ ମଧ୍ୟରେ ଭାରତ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତିର ଆବଶ୍ୟକତା ଅକ୍ଷୟ ଶକ୍ତିରୁ ପୂରଣ କରିବ । ଏହି ସମୟ ମଧ୍ୟରେ ୧ ବିଲିୟନ ଟନ୍ କାର୍ବନ ନିର୍ଗମନ କମ୍ କରିବ ଭାରତ । ଯାହା କାର୍ବନ ସ୍ତରକୁ ୪୫ ପ୍ରତିଶତରୁ ଅଧିକ ହ୍ରାସ କରିପାରିବ । ୨୦୭୦ ମଧ୍ୟରେ କାର୍ବନ ନିଗର୍ମନକୁ ଶୂନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।