କନକ ବ୍ୟୁରୋ : ବେଙ୍ଗାଲୁରୁରେ ବିରୋଧୀ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଦିଲ୍ଲୀରେ ଏନଡିଏ ଶକ୍ତି ପ୍ରଦର୍ଶନ କରିଛି । ବିଜେପିର ଦାବି ଅନୁସାରେ, ୩୮ଦଳ ଏଥିରେ ସାମିଲ ହୋଇଥିଲେ । ଏନଡିଏ ବୈଠକରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏନଡିଏ ଉପରେ ଲୋକଙ୍କ ବିଶ୍ୱାସ ବଢିଛି । ଏହି ମେଣ୍ଟରେ କିଏ ବଡ ନୁହେଁ କି ଛୋଟ ନୁହେଁ । ବଞ୍ଚିତ ଓ ଶୋଷିତଙ୍କୁ ମଜବୁତ କରିବା ଆମର ଲକ୍ଷ୍ୟ । ଆମେ ସମସ୍ତେ ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ଆସିଛି ।

Advertisment

ବିରୋଧୀ ମେଣ୍ଟକୁ ବି ପ୍ରଧାନମନ୍ତ୍ରୀ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ଅସ୍ଥିରତା ସୃଷ୍ଟି ପାଇଁ ମେଣ୍ଟ କରିଛି । ନିଜ ସୁବିଧା ପାଇଁ କଂଗ୍ରେସ ଅନ୍ୟ ଦଳ ସହ ମେଣ୍ଟ କରିଛି । ବିରୋଧୀ ଆମକୁ ଛୋଟ ଦେଖାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଦେଶର ୧୪୦ କୋଟି ଜନତା ସବୁ ଦେଖୁଛନ୍ତି । ଲୋକେ ଜାଣିଛନ୍ତି ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକଜୁଟ ହୋଇଛନ୍ତି । କେରଳରେ ବାମପନ୍ଥୀ ଓ କଂଗ୍ରେସ ପରସ୍ପର ବିରୋଧରେ ଲଢୁଥିବା ବେଳେ ବାଙ୍ଗାଲୋରରେ ଏକାଠି ହେଉଛନ୍ତି । ପଶ୍ଚିମବଙ୍ଗ, ଜାମ୍ମୁ-କାଶ୍ମୀର ଓ ବିହାରରେ ବି ପରସ୍ପର ବିରୋଧରେ ଗାଳି ଦେଉଥିବା ଦଳ ବେଙ୍ଗାଲୁରୁରେ ଏକାଠି ହୋଇଛନ୍ତି । ପବ୍ଲିକ ସବୁ ଜାଣିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କଂଗ୍ରେସ ୯୦ ଦଶକରେ ଦେଶକୁ ଅସ୍ଥିର କରିବା ପାଇଁ ମେଣ୍ଟକୁ ବ୍ୟବହାର କରୁଥିଲା । ସରକାରକୁ ଭାଙ୍ଗି ଦେଶକୁ ଅସ୍ଥିର କରିବାରେ କଂଗ୍ରେସ ମେଣ୍ଟ ନିୟୋଜିତ ହେଉଥିବା ବେଳେ ଦେଶରେ ସ୍ଥିରତା ପାଇଁ ୧୯୯୮ରେ ଏନ୍‌ଡିଏ ଗଠନ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏନ୍‌ଡିଏର ୩ଟି ଅକ୍ଷରର ନୂଆ ଅର୍ଥ ବ୍ୟାଖ୍ୟା କରି ମୋଦୀ କହିଛନ୍ତି ଏଠାରେ ‘ଏନ୍‌’ ଅର୍ଥ ହେଉଛି ନ୍ୟୁ ଇଣ୍ଡିଆ, ‘ଡି’ ଅର୍ଥ ହେଉଛି ଡେଭ୍‌ଲପଡ ନେସନ୍‌ ଏବଂ ‘ଏ’ ଅର୍ଥ ଏସ୍‌ପିରେସନ ଅଫ୍‌ ଦି ପିପୁଲ । ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ସଂକଳ୍ପ ସକରାତ୍ମକ, ଏଜେଣ୍ଡା ଓ ପନ୍ଥା ମଧ୍ୟ ସକରାତ୍ମକ ।

ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ସମୟରେ ଏନ୍‌ଡିଏ ମେଣ୍ଟର ଏହା ପ୍ରଥମ ବୈଠକ । ବିଜେପି ସମେତ ୩୮ଟି ଦଳର ନେତାମାନେ ୨୦୨୪ ନିର୍ବାଚନ ପାଇଁ ରଣନୀତି ସଂକ୍ରାନ୍ତ ଆଲୋଚନା କରିଛନ୍ତି । ବିଜେପି ନେତୃତ୍ବରେ ହୋଇଥିବା ଏନ୍‌ଡିଏ ବୈଠକରେ ସାମିଲ ହୋଇଥିବା ପ୍ରମୁଖ ଦଳମାନେ ହେଲେ ଶିବସେନା , ଏନ୍‌ସିପି , ଏଲ୍‌ଜେପି, ଏଆଇଏଡିଏମ୍‌କେ, ଏନ୍‌ପିପି, ଅପ୍‌ନା ଦଲ, ଏଜେଏସ୍‌ୟୁ, ଏସ୍‌କେଏମ୍‌, ଏମ୍‌ଏନ୍‌ଏଫ୍‌, ଇଣ୍ଡିଜିନିୟସ ପିପୁଲ୍ସ ଫ୍ରଣ୍ଟ୍‌ ଅଫ୍‌ ତ୍ରିପୁରା, ନାଗା ପିପୁଲ୍ସ ଫ୍ରଣ୍ଟ, ଆର୍‌ପିଆଇ, ଆସାମ ଗଣ ପରିଷଦ, ତାମିଲ ମାନିଲା କଂଗ୍ରେସ, ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଜନନାୟକ ଜନତା ପାର୍ଟି, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି, ନିଷାଦ ପାର୍ଟି, ହିନ୍ଦୁସ୍ତାନୀ ଆୱାମ ପାର୍ଟି ଓ ଜନ ସେନା ପାର୍ଟି ।