କନକ ବ୍ୟୁରୋ: ବାତ୍ୟା ‘ଫୋନି’ର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଫୋନି’ ପୂର୍ବରୁ ଏବଂ ପରେ ଯେଉଁଭଳି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରି ଲୋକଙ୍କୁ ସୁରକ୍ଷିତ ଥଇଥାନ କରାଇବା ନେଇ ନବୀନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ କହିଛନ୍ତି କି, ବିଶେଷ କରି ବାତ୍ୟା ପୂର୍ବରୁ ସତର୍କ ହୋଇ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା କିଛି ଛୋଟ କଥା ନୁହେଁ କାରଣ ବାତ୍ୟା ଖବର ପାଇବା ପରେ କୌଣସି ବି ଲୋକ ସହଜରେ ତାଙ୍କ ବାସଗୃହ ଛାଡ଼ି ଯିବାକୁ ମନ ବଳାଏ ନାହିଁ । ହେଲେ ଏଭଳି ସ୍ଥଳେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଐତିହାସିକ ସ୍ଥାନାନ୍ତରଣ ପ୍ରକ୍ରିୟା କରିଥିବାରୁ ଏତେ ଲୋକଙ୍କ ଜୀବନ ସୁରକ୍ଷିତ ରହିଛି ।
India stands in solidarity with the people of Odisha. https://t.co/rP7P4U7EEs
— Chowkidar Narendra Modi (@narendramodi) May 6, 2019
ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କି, ଆକାଶମାର୍ଗରୁ ସର୍ଭେ କରାଯାଇଛି । ୧୪ ହଜାର ଗାଁ ପ୍ରଭାବିତ ହୋଇଛି । ହେଲେ ବାତ୍ୟା ପୂର୍ବରୁ ରାଜ୍ୟ ସରକାର ପୁରା ପ୍ରସ୍ତୁତି ସହ କାମ କରିଛନ୍ତି । ପ୍ରଶାସନ କଥା ମାନିଥିବାରୁ ଓଡିଶାବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଓଡିଶା ଲୋକେ, ମତ୍ସ୍ୟଜୀବୀମାନେ ପ୍ରଶାସନ କଥା ମାନିଥିଲେ । ପ୍ରଶାସନ କଥା ମାନି ନିଜ ନିଜ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳକୁ ଯାଇଥିଲେ । ଆଉ ସୁରକ୍ଷିତ ରହିଛନ୍ତି, ତେଣୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ।
ସବୁଠାରୁ ବଡ଼କଥା ହେଲା କି, ବାତ୍ୟା ‘ଫୋନି’ରେ ଘର ଭାଙ୍ଗିଛି, ତିଆରି ହୋଇଯିବ । କିନ୍ତୁ ଜୀବନ ବଞ୍ଚିଯିବା ବଡ କଥା ବୋଲି ମୋଦି କହିଛନ୍ତି । ବର୍ତ୍ତମାନ ବାତ୍ୟା ପ୍ରଭାବିତଙ୍କୁ ପାଣି, ବିଜୁଳି ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଗୁରୁତ୍ୱ ଦିଆଯାଉଛି । ମୋ ସହିତ ପିଏମଓ ଟିମ୍ ଆସିଛି, ରାଜ୍ୟ ସରକାରଙ୍କ ସହ ସମ୍ମନ୍ୱୟ ରଖି ସ୍ଥିତିର ତର୍ଜମା କରିବେ । ଏହାପରେ କେନ୍ଦ୍ରୀୟ ଟିମ୍ ଆସିବେ ଏବଂ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବେ । ଏଭଳି ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା ପାଇଁ ଆମେ ମିଳିମିଶି କାମ କରିବୁ । ସ୍ଥାୟୀ ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି ବୋଲି କହିଛନ୍ତି ମୋଦି ।
PM Narendra Modi conducts aerial survey of #Cyclonefani affected areas in Odisha. Governor Ganeshi Lal, CM Naveen Patnaik and Union Minister Dharmendra Pradhan also present. pic.twitter.com/ZO9XkRC7kK
— ANI (@ANI) May 6, 2019
ଅନ୍ୟପଟେ ବର୍ତ୍ତମାନ ଓଡ଼ିଶାକୁ ମ୍ୟାନ୍, ମେସିନ୍ ଓ ମନିର ଆବଶ୍ୟକତା ରହିଛି । ପ୍ରଭାବିତଙ୍କ ପାଖରେ ଉପଯୁକ୍ତ ପରିମାଣର ମୌଳିକ ସୁବିଧା ପହଁଚାଇବା ଏବେ ମୂଳ ଲକ୍ଷ୍ୟ । ଏଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରାଯିବ ଏବଂ ଏଥିପାଇଁ ଆମେ ମିଳିମିଶି କାମ କରିବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।