କନକ ବ୍ୟୁରୋ : ବିରୋଧୀ ଏକାଠି ହୋଇ ଆଇ-ଏନ-ଡି-ଆଇ-ଏ ବା ଇଣ୍ଡିଆ ନାମରେ ମେଂଟ କରିବା ପରେ ୨୦୨୪ ନିର୍ବାଚନରେ କିଭଳି ମୁକାବିଲା କରାଯିବ ସେ ନେଇ ବିଜେପି ନେତୃତାଧୀନ ଏନଡିଏ ଆରମ୍ଭ କରିଛି ପ୍ରସ୍ତୁତି । କୁହାଯାଉଛି ଯେ ଏହି ବୈଠକ ୨୫ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୩ ଯାଏ ଚାଲିବ । ପ୍ରତ୍ୟେକ ଦିନ ଦୁଇଟି ବୈଠକ ହେବ । ଏନଡିଏ ସାଂସଦଙ୍କ ୧୦ଟି ବିଭିନ୍ନ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମୟରେ ଭେଟିବେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏନଡିଏର ସମସ୍ତ ଦଳ ଆଲୋଚନା କରିବେ । ପ୍ରତ୍ୟେକ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ବୈଠକ କରିବେ । ଯେଉଁଥିରେ ସମସ୍ତ ସାଂସଦ ମୋଦୀଙ୍କୁ ସେମାନଙ୍କ ଅଂଚଳର ରାଜନୈତିକ ବିଷୟରେ ସୂଚନା ପ୍ରଦାନ କରିବେ । ଯାହା ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବା ସହଜ ହେବ । ୟୁପି ଏବଂ ଉତର ପୂର୍ବର ସାଂସଦଙ୍କୁ ନେଇ ପ୍ରଥମ ଦିନର ବୈଠକ ହେବ । ଗୋଟିଏ ଗ୍ରୁପରେ ୩୫ରୁ ୪୦ ସାଂସଦ ରହିବେ । ସାଂସଦମାନଙ୍କୁ କୁହାଯାଇଛି ଯେ ସେମାନେ ନିଜ ରିପୋର୍ଟ କାର୍ଡ ବାବଦରେ ଅବଗତ କରାଇବେ । ସାଂସଦମାନଙ୍କଠାରୁ ତୃଣମୂଳ ସ୍ଥିତି ବାବଦରେ ମତାମତ ନିଆଯିବ । ଏନଡିଏର ୨୫ ବର୍ଷ ପୂର୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି  । ମୋଦୀଙ୍କ ନେତୃତ୍ୱରେ ଏନଡିଏ ନିର୍ବାଚନ ମୈଦାନକୁ ଓହ୍ଲାଇବ ଏବଂ ସରକାର ଗଢିବ ବୋଲି ବିଜେପି ଆଶା ରଖିଛି ।