ପୁଲୱାମା ଆକ୍ରମଣକୁ ପୂରିଲା ୫ ବର୍ଷ । ସହିଦ ଯବାନଙ୍କୁ ଝୁରୁଛି ମାଟି, ଦେଶ ପାଳୁଛି କଳା ଦିବସ

136

କନକ ବ୍ୟୁରୋ : ୨୦୧୯ ଆଜିର ଦିନରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଭୟଙ୍କର ବିସ୍ଫୋରଣରେ ୪୦ ଜଣ ସୁପୁତ୍ରଙ୍କୁ ହରାଇଥିଲା ଦେଶ । ଯେତେବେଳେ ପ୍ରେମ ଦିବସରେ ପ୍ରେମ ବାଂଟୁଥିଲା ଦେଶ ସେହି ସମୟରେ ଏଭଳି ବର୍ବରକାଣ୍ଡ ଦେଶକୁ ସ୍ତବ୍ଦ କରିଦେଇଥିଲା । ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଛି ୫ ବର୍ଷ । କିନ୍ତୁ ଆଜି ବି ବୀର ଯବାନଙ୍କୁ ଝୁରୁଛି ଦେଶ, ଝୁରୁଛି ମାଟି, ଝୁରୁଛନ୍ତି ପରିବାର ବର୍ଗ । ସେଦିନ ଥିଲା ଫେବ୍ରୁଆରୀ ୧୪ । ଜମ୍ମୁ-ଶ୍ରୀନଗର ରାସ୍ତାରେ ୨୫ଶହ ଯବାନଙ୍କୁ ନେଇ ଗଡୁଥିଲା ସିଆରପିଏଫର ୭୫ଟି ସେନା ଗାଡ଼ି । ଦେଶପ୍ରେମର ଗୀତ ଗାଇ ଖୁସିରେ ଯାତ୍ରା କରୁଥିଲେ ଯବାନ । ଏତିକିବେଳେ ଯବାନଙ୍କ ଟ୍ରକକୁ ଧକ୍କା ଦେଇଥିଲା ଆତଙ୍କବାଦୀଙ୍କ ବିସ୍ଫୋରକ ଭର୍ତି କାର୍ । ଭୟଙ୍କର ବିସ୍ଫୋରଣରେ ଥରି ଉଠିଥିଲା ପୂରା ଅଂଚଳ । କେହି କିଛି ବୁଝିବା ଆଗରୁ ସହିଦ ହୋଇଯାଇଥିଲେ ୪୦ ଜଣ ବୀରପୁତ୍ର । ଯେଉଁଥିରେ ଥିଲେ ୨ ଜଣ ଓଡ଼ିଆ ପୁଅ । ଆଉ ଏହି କାପୁରୁଷ କାଣ୍ଡ ପଛରେ ଥିଲା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ହାତ । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ   । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ସ୍ମରଣ କରିଛନ୍ତି । ସେପଟେ ଫୁଲୱାମାରେ ପହଂଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପି ନେତା ।

୧୪ରେ ଆକ୍ରମଣ, ୨୬ରେ ପ୍ରତିଶୋଧ । ପ୍ରତିଆକ୍ରମଣ ଏଭଳି ଥିଲା, ଯାହାର ସାକ୍ଷୀ ରହିଥିଲା ପୂରା ବିଶ୍ୱ । ପାକିସ୍ତାନ ଅଧିକୃତ କାଶ୍ମୀରରେ ଗର୍ଜିଥିଲେ ଭାରତର ଯୁଦ୍ଧ ବିମାନ । ୧୯ ମିନିଟରେ ଧ୍ୱଂସ ହୋଇଯାଇଥିଲା ଆତଙ୍କବାଦୀଙ୍କ ଆଡ୍ଡା । ଭାରତ ଯେ ପଡ଼ୋଶୀ ସୀମାରେ ପଶି ଏଭଳି ଜବାବ ଦେଇପାରେ ତାହା କେବେ ଭାବି ନଥିଲା ପାକିସ୍ତାନ । ଆତଙ୍କବାଦୀଙ୍କୁ ଇଟାର ଜବାବ ପଥରରେ ଦେଇ ଭାରତୀୟ ସେନା କରିଥିଲା ର୍ସଜିକାଲ ଷ୍ଟ୍ରାଇକ୍ ।