ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ମୋବାଇଲରୁ ଦୂରେଇ ରହିବା, ଫିଟନେସ୍ ପ୍ରତି ଦୃଷ୍ଟି ଦେବାକୁ କହିଲେ ମୋଦୀ

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଙ୍କ ପ୍ରଶ୍ନ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ

79

କନକ ବ୍ୟୁରୋ: ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲକ୍ଷ୍ୟସ୍ଥିର କରି ଆଗକୁ ବଢ଼ିବା ସହ ଚାପଗ୍ରସ୍ତ ନ ହେବାକୁ ସେ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟ ପିଲାଙ୍କ ସହ ତୁଳନା ନକରିବାକୁ ଅଭିଭାବକଙ୍କୁ ବି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆଜି ପରୀକ୍ଷା ପେ ଚର୍ଚ୍ଚା ବେଳେ ବାଙ୍କୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମୋଦୀ ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ରାଜଲକ୍ଷ୍ମୀ ଆଚାର୍ଯ୍ୟ ପରୀକ୍ଷା ହଲରେ କିପରି ଚାପମୁକ୍ତ ରହିବେ ସେନେଇ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ । ତାଙ୍କ ପ୍ରଶ୍ନର ଉତ୍ତର ରଖି ଉପାଦେୟ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ।

  • ପରୀକ୍ଷା ଚାପରୁ କେମିତି ରହିବେ ମୁକ୍ତ?
  • ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଖେଇ ଆସୁଥିବାରୁ କିପରି ଛାତ୍ରଛାତ୍ରୀମାନେ ଚାପମୁକ୍ତ ରହିବେ, ଏ ନେଇ ଉପାଦେୟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ନରେନ୍ଦ୍ର ମୋଦୀ । ପରୀକ୍ଷା ନେଇ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ପ୍ରତିଯୋଗିତା ଓ ଆହ୍ୱାନ ପ୍ରେରଣା ଦେଇଥାଏ, କିନ୍ତୁ ସୁସ୍ଥ ପ୍ରତିଯୋଗିତା ହେବା ଜରୁରୀ । ପିଲାଙ୍କ ରିପୋର୍ଟ କାର୍ଡକୁ ବାପା-ମାଆ ସେମାନଙ୍କ ଭିଜିଟିଂ କାର୍ଡ ନଭାବନ୍ତୁ ।

ଆଜିର ଛାତ୍ରଛାତ୍ରୀ, ଭାରତର ଭବିଷ୍ୟତ ନିର୍ମାତା ବୋଲି କହିଛନ୍ତି ମୋଦୀ । କିନ୍ତୁ ଛାତ୍ରଛାତ୍ରୀଙ୍କ ଉପରେ ବାପା ମାଆଙ୍କ ଚାପ, ସହପାଠୀଙ୍କ ଚାପ, ନିଜେ ସୃଷ୍ଟି କରିଥିବା ଚାପ ପଡିଥାଏ । ‘ପରୀକ୍ଷା ପେ’ ଚର୍ଚ୍ଚା’ ସପ୍ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚାପ ଯୋଗୁଁ ପିଲାମାନଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଥାଏ । ତେବେ ଛୋଟ ଛୋଟ ଲକ୍ଷ୍ୟ ସ୍ଥିର କରି ପରୀକ୍ଷା ପ୍ରସ୍ତୁତି କରିବା ଆବଶ୍ୟକ, ଫଳରେ ପରୀକ୍ଷା ପୂର୍ବରୁ ପ୍ରସ୍ତୁତି ଶେଷ ହୋଇ ଯାଇଥିବ ।

  • ପରୀକ୍ଷା ପାଇଁ ପ୍ରସ୍ତୁତି
  • କି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ?

ସୁସ୍ଥ ଶରୀର, ଗଭୀର ନିଦ୍ରା, ସନ୍ତୁଳିତ ଆହର ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ।

ପରୀକ୍ଷା ପାଇଁ ପରାମର୍ଶ

  • ମୋବାଇଲରୁ ଦୂରେଇ ରୁହନ୍ତୁ
  • ଗୋଟିଏ ପରେ ଗୋଟିଏ ରିଲ୍ସ ଦେଖିଲେ ଭଲ ନିଦ ହେବନାହିଁ
  • ଗଭୀର ନିଦ ଶରୀର ପାଇଁ ଜରୁରୀ
  • ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଉପରେ ଗୁରୁତ୍ୱ

ମନକୁ ସୁସ୍ଥ ରଖିବାକୁ ହେଲେ ଶରୀର ସୁସ୍ଥ ରହିବା ଆବଶ୍ୟକ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦୁଇ ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କୁ ନିମନ୍ତ୍ରଣ କରାଯାଇଥିଲା । କଳା ଉତ୍ସବର ବିଜେତାମାନେ ମଧ୍ୟ ଉପସ୍ଥିତ ଥିଲେ । ମାଇଁ-ଜିଓଭି ପୋର୍ଟାଲରେ ଏଥର ୨ କୋଟି ୨୬ ଲକ୍ଷ ପଞ୍ଜିକରଣ କରିଥିଲେ ।