ଦେଶରୁ ଟଙ୍କା ଲୁଟକରି ବିଦେଶ ପଳାଇଯାଇଥିବା ପଳାତକଙ୍କୁ ମୋଦୀଙ୍କ ଚେତାବନୀ, କହିଲେ ଏଭଳି କଥା

192

କନକ ବ୍ୟୁରୋ : ଦେଶରୁ ହଜାର ହଜାର କୋଟି ଟଙ୍କା ଲୁଟ କରି ବିଦେଶ ପଳାଇଯାଇଥିବା ପଳାତକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ଏଭଳି ପଳାତକଙ୍କ ବିରୋଧରେ ସରକାର ପୁରା ଜାଲ ବିଛାଇ ଦେଇଛନ୍ତି ତେଣୁ ସେମାନଙ୍କ ପାଖରେ ଦେଶକୁ ଫେରିବା ବ୍ୟତୀତ ଅନ୍ୟ କିଛି ବାଟ ନାହିଁ । ପ୍ରଧାନମନ୍ତ୍ରୀ ଋଣ ପ୍ରବାହ ଓ ଆର୍ଥିକ ବୃଦ୍ଧି ନେଇ ଏକ ପରିଚର୍ଚ୍ଚାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ, ପଳାତକଙ୍କୁ ଦେଶକୁ ଫେରାଇ ଆଣିବାକୁ ସରକାର ଆଇନ ଉପରେ ନିର୍ଭର କରିବା ସହ କୂଟନୀତି ସ୍ତରରେ ପ୍ରୟାସ ଜାରି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କୌଣସି ପଳାତକଙ୍କ ନାମ ନେଇ ନଥିଲେ ବି ବିଜୟ ମାଲ୍ୟା ଓ ନୀରବ ମୋଦୀଙ୍କ ଭଳି ବଡ ଠକମାନଙ୍କୁ ଦେଶକୁ ଫେରାଇଆଣିବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଛନ୍ତି କି ୨୦୧୪ ରେ ବିଜେପି ସରକାର ଗଠନ ହେବା ପରେ ବ୍ୟାଙ୍କ ମାନଙ୍କର ସ୍ଥିତି ସୁଧୁରିଛି । ଏହାସହ ଭାରତୀୟ ବ୍ୟାଙ୍କଗୁଡିକ ଏବେ ଅର୍ଥବ୍ୟବସ୍ଥାକୁ ନୂଆ ଉତ୍ସାହ ଦେବାକୁ ପ୍ରସ୍ତୁତ ଅଛି । ଏହାଦ୍ୱାରା ଦେଶ ଆତ୍ମ ନିର୍ଭରଶୀଳ ହେବାକୁ ସହଜ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଗତ ୫ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡିକରେ ଏନପିଏର ମାତ୍ରା କମିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି କି କରୋନା ମହାମାରୀ ମଧ୍ୟରେ ବ୍ୟାଙ୍କଗୁଡିକ ମଜବୁତ ସ୍ଥିତିରେ ରହିଛନ୍ତି । ଏନପିଏ ମାତ୍ରା କମିବା ଫଳରେ ବ୍ୟାଙ୍କ ପାଖରେ ନଗଦ ଅର୍ଥ ଭଣ୍ଡାର ବୃଦ୍ଧି ପାଇଛି ।