କନକ ବ୍ୟୁରୋ : ଧାରା ୩୭୦ ଉଚ୍ଛେଦ ହେଲା, ଜମ୍ମୁ-କାଶ୍ମୀରର ନକ୍ସା ବଦଳିଲା । ଦୀର୍ଘ ୭୦ ବର୍ଷ ଧରି ଜମ୍ମୁ-କାଶ୍ମୀରରେ ପ୍ରଚଳିତ ହୋଇ ଆସୁଥିବା ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି ମୋଦି ସରକାର । ଏଭଳି ଏକ ଐତିହାସିକ ଫୈସଲା ସମସ୍ତ ଆଶା, ଆଶଙ୍କା, ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି । କେବଳ ଧାରା ୩୭୦ର ଉଚ୍ଛେଦ ହୋଇନାହିଁ ବରଂ ପୂରା ଜମ୍ମୁ-କାଶ୍ମୀରକୁ ୨ ଭାଗ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଜମ୍ମୁ-କାଶ୍ମୀର ସହ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ମୋଦି ସରକାର ।

Advertisment

ମୋଦି ସରକାରଙ୍କ ଏଭଳି ନିଷ୍ପତିକୁ  ପୂରା ଦେଶରେ ପ୍ରଂଶସା କରାଯାଉଥିବା ବେଳେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜିର ଦିନକୁ କଳାଦିନ ବୋଲି କହିଛନ୍ତି । ଆଉ ଏସବୁ ଭିତରେ ମୋଦିଙ୍କର ଏକ ପୁରୁଣା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଫଟୋରେ ନିଜ ଯୁବାବସ୍ଥାରେ ମୋଦି କିଭଳି ଧାରା ୩୭୦ ହଟାଇବା ପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲେ ତାହା ଦେଖିବାକୁ ମିଳିଛି । ମୋଦି ମଞ୍ଚ ଉପରେ ବସିଥିବା ବେଳେ ତାଙ୍କ ପଛରେ ଲାଗିଥିବା ବ୍ୟାନରରେ ଲେଖାଯାଇଛି, ଧାରା ୩୭୦ ହଟାଓ, ଆତଙ୍କବାଦୀଙ୍କୁ ନିପାତ କର, ଦେଶକୁ ବଚାଓ । ଅଥାର୍ତ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ମୋଦିଙ୍କ ପାଇଁ ନୂଆ ନୁହେଁ । ଦୀର୍ଘ ବର୍ଷ ପୂର୍ବରୁ ହିଁ ଏହି ଧାରା ୩୭୦କୁ ହଟାଇବା ପାଇଁ ସଂଘର୍ଷ କରିବା ସହ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ ମୋଦି ।

୧୯୯୨ ମସିହାରେ ଲାଲକୃଷ୍ଣ ଆଡଭାଣୀଙ୍କ ନେତୃତ୍ୱରେ ବିଜେପିର ଏକତା ଯାତ୍ରା ବାହାରିଥିଲା । ଏହି ଯାତ୍ରା କାଶ୍ମୀରର ଲାଲ ଚୌକରେ ପହଞ୍ଚିବା ପରେ ବିଜେପି ସମର୍ଥକ ତ୍ରିରଙ୍ଗା ପତକା ଉଡାଇଥିଲେ । ସେତେବେଳେ ମୋଦି କେବଳ ବିଜେପିର ଜଣେ କାର୍ଯ୍ୟକର୍ତା ଭାବେ କାମ କରୁଥିଲେ । ଆଉ ସେତେବେଳେ ଧାରା ୩୭୦ ଉଚ୍ଛେଦ ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଆଜି ସଫଳ ହୋଇଛି ।