ନିର୍ବାଚନ ପରେ ମୋଦିଙ୍କ ପ୍ରଥମ ବାରଣାସୀ ଗସ୍ତ । କାଶୀ ବିଶ୍ୱନାଥଙ୍କ ମନ୍ଦିରରେ କଲେ ରୁଦ୍ରାଭିଷେକ, କାଶୀନାଥଙ୍କୁ ମାଗିଲେ ଆଶୀର୍ବାଦ ।

89

କନକ ବ୍ୟୁରୋ : କାଶୀ ବିଶ୍ୱନାଥ ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା । ରୂଦ୍ରାଭିଷେକ କରି ଭଗବାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି ମୋଦି । ପୁଣି ଥରେ ଶପଥ ନେବା ପୂର୍ବରୁ କାଶୀରେ ବାବା ବିଶ୍ୱନାଥଙ୍କ ଆର୍ଶୀବାଦ ନେଇଛନ୍ତି । କାଶୀ ବିଶ୍ୱନାଥ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ଦୀର୍ଘ ସମୟ ଧରି ପୂଜା କରିଛନ୍ତି । ବାରାଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟୀ ହେବା ପରେ ଏହା ନିଜ ନିର୍ବାଚନ ମଣ୍ଡଳୀକୁ ମୋଦିଙ୍କ ପ୍ରଥମ ଗସ୍ତ ।

ମୋଦିଙ୍କ ଶିବ ଆରାଧନା । କାଶୀନାଥଙ୍କୁ ମାଗିଲେ ଆଶୀର୍ବାଦ । ବିପୁଳ ବିଜୟ ପରେ ନିଜ ନିର୍ବାଚନ ମଣ୍ଡଳି ବାରଣାସୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ କାଶୀ ବିଶ୍ୱନାଥ ମନ୍ଦିରରେ ଯାଇ ପୂଜା କରିଛନ୍ତି । ବାରଣାସୀରେ ପହଂଚିବା ପରେ ମୋଦି ସିଧା କାଶୀନାଥଙ୍କ ମନ୍ଦିର ଗସ୍ତ କରିଥିଲେ । ଏଠାରେ ସେ ପାରମ୍ପରିକ ରୀତିନୀତିରେ ଶିବ ଆରାଧନା କରିଛନ୍ତି । ବାବାଙ୍କୁ ଜଳାଭିଷେକ କରିଥିଲେ ମୋଦି । ପୂଜକଙ୍କ ମନ୍ତ୍ରପାଠରେ ସାରା ଅଂଚଳ ମୁଖରିତ ହୋଇପଡିଥିଲା ।

ଏହାରି ଭିତରେ ମୋଦି ପୁଷ୍ପାଞ୍ଜଳି କରି ଶିବଙ୍କୁ ଧ୍ୟାନ କରିଛନ୍ତି । ଯେତେବେଳେ ବି ସୁବିଧା ପାଇଲେ ଶିବାଳୟ ଯାଇ ମହାଦେବଙ୍କ ପୂଜା କରିବାକୁ ଭୁଲନ୍ତି ନାହିଁ ମୋଦି । କାଶୀ ବିଶ୍ୱନାଥରେ ପୂଜା କରିବା ଅବସରରେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ନିର୍ବାଚନ ଶେଷ ହେବା ପରେ କେଦାରନାଥ ଗସ୍ତ କରି ଗୁମ୍ଫା ଭିତରେ ଧ୍ୟାନରେ ବସିଥିଲେ ମୋଦି ।

ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନ ଗସ୍ତ କରିବା ଅବସରରେ ପ୍ରମୁଖ ଶିବପୀଠ ଗୁଡିକରେ ମୋଦି ନିଜେ ପୂଜା କରିଥାନ୍ତି । ଶିବ ଭକ୍ତ ଭାବେ ସେ ବେଶ ପରିଚିତ । ନିର୍ବାଚନ ଶେଷ ହେବା ପରେ ଲୋକଙ୍କୁ ଧନ୍ୟବାଦ ଜଣାଇବାକୁ ସେ ବାରଣାସୀ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦିଙ୍କୁ ସ୍ୱାଗତ କରିବାକୁ ରାସ୍ତା ଦୁଇ କଡରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ପୁଷ୍ପବୃଷ୍ଟି ସହ ମୋଦିଙ୍କୁ ସ୍ୱାଗତ କରିଛନ୍ତି ବାରଣାସୀ ବାସୀ ।