ଭାରତ-ଚୀନ ସୀମା ବିବାଦକୁ ନେଇ ଟ୍ରମ୍ପଙ୍କ ବଡ ବୟାନ: ଲଦାଖ ସୀମା ବିବାଦ ସମ୍ପର୍କରେ ଭାରତ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଛି କଥାବାର୍ତ୍ତା; ଚୀନକୁ ନେଇ ମୋଦୀଙ୍କ ମୁଡ୍ ଭଲ ନାହିଁ

1,149

କନକ ବ୍ୟୁରୋ: ଭାରତ-ଚୀନ ସୀମା ବିବାଦ ଏବେ ପୁଣି ଚର୍ଚାର ବିଷୟ ହୋଇଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉଷ୍ଣ ହୋଇଛି । ଏତିକି ବେଳେ ଲଦାଖ ସୀମା ବିବାଦକୁ ନେଇ ବଡ ବୟାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ କହିଛନ୍ତି ଲଦାଖ ସୀମା ବିବାଦ ସମ୍ପର୍କରେ ସେ ଭାରତ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏହି ବିବାଦ ଉଭୟ ଦେଶ ପାଇଁ ଶୁଭଙ୍କର ନୁହଁ । ଚୀନକୁ ନେଇ ମୋଦୀଙ୍କ ମୁଡ୍ ଭଲ ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଭାରତ ଓ ଚୀନ ବହୁତ ଜନସଂଖ୍ୟା ଥିବା ଦେଶ । ଉଭୟ ଦେଶ ପାଖରେ ୧.୪ ଅରବ ଜନସଂଖ୍ୟା ରହିଛି । ଏହାଛଡା ଦୁଇ ଦେଶର ସେନା ଶକ୍ତିଶାଳୀ ।

ତେବେ ସୀମା ଉତେଜନାକୁ ନେଇ ଭାରତ ଖୁସି ନାହିଁ, ଆଉ ଚୀନ ମଧ୍ୟ ଖୁସି ନଥାଇ ପାରେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏଥିସହ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତାକୁ ନେଇ ଦେଇଥିବା ପ୍ରସ୍ତାବକୁ ଦୋହରାଇଥିଲେ ଟ୍ରମ୍ପ । କହିଥିଲେ, ଯଦି ଭାରତ-ଚୀନ ବିବାଦର ସମାଧାନ ପାଇଁ ତାଙ୍କର ସହାୟତା ଲୋଡନ୍ତି, ତେବେ ମଧ୍ୟସ୍ଥି ସାଜିବାକୁ ସେ ପ୍ରସ୍ତୁତ ।

ସେପଟେ ଭାରତ ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଚୀନ ସହ ସୀମା ପ୍ରସଙ୍ଗରେ ଆମେରିକାର ସହାୟତା ଦରକାର ନାହିଁ । ଗତକାଲି ଭିଡିଓ କନଫରେନ୍ସିଂରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ । ସେ କହିଛନ୍ତି, ଆମେ ଚୀନ ସହ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚୀନ ସହ ସଂପର୍କରେ ରହିଛୁ ।