କନକ ବ୍ୟୁରୋ: ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପାଲଟିଛି ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ। ଗତ ନିର୍ବାଚନର ଏହି ଦୁଇ ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଜିଲ୍ଲାରେ ବିଜେପି ନେତାଙ୍କ ମୁହଁ ବନ୍ଦ। ନିର୍ବାଚନର ବହୁ ଆଗରୁ ଏହାର ପ୍ରତିବାଦ କରି ବରିଷ୍ଠ ବିଜେପି ନେତା ତଥା ରାଉରକେଲା ବିଧାୟକ ଦିଲୀପ ରାୟ ଉଭୟ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ ପ୍ରଚାର ବେଳେ ବିରୋଧୀ ଦଳଗୁଡ଼ିକ ବିଜେପିକୁ ଘେରୁଥିବା ବେଳେ ସମସ୍ତଙ୍କ ନଜର ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁନ୍ଦରଗଡ଼ ନିର୍ବାଚନୀ ସଭା ଉପରେ। ଏ ସମ୍ପର୍କରେ ମୋଦୀ କିଛି କହି ଲୋକଙ୍କ ମନରେ ଥିବା ସଂଶୟ ଦୂର କରିବେ ବୋଲି ଲୋକେ ଆଶା ରଖିଥିଲେ। ଏପରିକି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଜୁଏଲ ଓରାମ ମଧ୍ୟ ତାଙ୍କ ଭାଷଣରେ ମୋଦୀଙ୍କୁ ଏ ସମ୍ପର୍କରେ ସୂଚାଇ ଦେଇଥିଲେ। କିନ୍ତୁ ମୋଦୀ ସବୁ ଶୁଣିଲେ ବି ନିଜ ଅଭିଭାଷଣରେ ଏହି ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିଲେ। ଯାହାକି ଆଜି ବିଜେପି କର୍ମୀ ଓ ସମର୍ଥକଙ୍କୁ ନିରାଶ କରିଛି।

Advertisment

publive-image

ଗତ ୨୦୧୪ ନିର୍ବାଚନର ପ୍ରଚାର ପାଇଁ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ଦୁଇଥର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଦୁଇ ପ୍ରମୁଖ ସମସ୍ୟା ବ୍ରାହ୍ମଣୀ ଦ୍ବିତୀୟ ସେତୁ ଓ ଆଇଜିଏଚକୁ ମେଡିକାଲ କଲେଜ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦୁଇଟି କାର୍ଯ୍ୟ ହୋଇନାହିଁ। ଦେଢ ବର୍ଷ ପୂର୍ବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ରାଉରକେଲା ଆସି ଦ୍ବିତୀୟ ସେତୁ ପାଇଁ ଶିଳାନ୍ୟାସ କରିଥିଲେ। ଆଉ ବର୍ଷକ ମଧ୍ୟରେ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇ ଯାଇଥିଲେ। କିନ୍ତୁ ଶିଳାନ୍ୟାସ ହେବାର ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେତୁ ନିର୍ମାଣ କାର୍ଯ୍ୟ ଆଖିଦୃଶିଆ ଭାବେ ଆରମ୍ଭ ହୋଇନାହିଁ।

publive-image

ସେହିପରି ଆଇଜିଏଚ୍ ମେଡିକାଲ କଲେଜ ଫାଇଲ୍ ଶୀତଳ ଭଣ୍ଡାରରେ ରହିଛି। ଏ ସଂପର୍କରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ବାରମ୍ବାର କହି ବିଫଳ ହେବା ପରେ ଦିଲୀପ ରାୟ ବିଜେପି ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପୂର୍ବର ଗତବର୍ଷ ଏହି ଦୁଇ ପ୍ରତିଶ୍ରୁତି ସମ୍ପର୍କରେ ମନେ ପକେଇ ଦେବା ପାଇଁ ମୁକ୍ତିକାନ୍ତ ବିଶ୍ବାଳ ନାମକ ଜଣେ ଯୁବକ ରାଉରକେଲାରୁ ପାଦରେ ଚାଲି ଚାଲି ଦିଲ୍ଲୀ ଯାଇଥିଲେ। କିନ୍ତୁ ତାଙ୍କୁ ମୋଦୀ କିମ୍ବା ବିଭାଗୀୟ ମନ୍ତ୍ରୀ ତାଙ୍କୁ ସାକ୍ଷାତ ଦେଲେନାହିଁ। ତେଣୁ ଏ ନେଇ ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଆଉ ଏହି ପ୍ରସଙ୍ଗକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ବିଜେପି ଛାଡିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ସ୍ଥିତି ଦୋହଲି ଯାଇଛି। ପ୍ରତିଶ୍ରୁତି ପାଳନ ହୋଇ ନ ଥିବାରୁ ବିଜେପି ନେତାମାନେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଏହି ଦୁଇ କାର୍ଯ୍ୟ ତୁରନ୍ତ ଶେଷ କରିବା ଏବଂ ଜିଲ୍ଲାରେ ଆଉ କିଛି ଆଖିଦୃଶିଆ ପ୍ରକଳ୍ପ କରିବାକୁ ଶ୍ରୀ ମୋଦୀ ଗତକାଲିରସୁନ୍ଦରଗଡ଼ ନିର୍ବାଚନ ସଭାରେ ଘୋଷଣା କରିବେ ବୋଲି ସମସ୍ତେ ଆଶା ରଖିଥିଲେ।

publive-image

କିନ୍ତୁ ସେ ଚିରାଚରିତ ଢଙ୍ଗରେ କଂଗ୍ରେସ ଓ ବିଜେଡିକୁ ବିରୋଧ ଏବଂ ନିଜ ସଫଳତା କଥା କହି ଭାଷଣ ଶେଷ କରିଥିଲେ ମୋଦୀ। ତେବେ ଗତକାଲିର ନିର୍ବାଚନ ସଭାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବ୍ରାହ୍ମଣୀ ଦ୍ବିତୀୟ ସେତୁ ଓ ଆଇଜିଏଚ ମେଡିକାଲ କଲେଜ କଥା ଉଠାଇଥିଲେ। ଭାଷଣ ଦେବା ପାଇଁ ଜୁଏଲଙ୍କୁ ମାତ୍ର ଦୁଇ ମିନିଟ୍ ସମୟ ମିଳିଥିଲା। ସେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରାହ୍ମଣୀ ଦ୍ବିତୀୟ ସେତୁ ଓ ମେଡିକାଲ କଲେଜ ସମ୍ପର୍କରେ କହିବେ ବୋଲି କହିଥିଲେ। ତା’ପରେ ମୋଦୀଙ୍କ ଭାଷଣ ଆରମ୍ଭ ହୋଇ ସରିଲା, କିନ୍ତୁ ଏ ସମ୍ପର୍କରେ ସେ ପଦୁଟିଏ ହେଲେ କହିଲେ ନାହିଁ। ତେଣୁ ସ୍ଥାନୀୟ ବିଜେପି ନେତା, ପ୍ରାର୍ଥୀ ଓ କର୍ମୀମାନେ ନିରାଶ ହୋଇଥିଲେ। ସେମାନେ ପ୍ରଚାର ସମୟରେ ‘ପ୍ରଧାନମନ୍ତ୍ରୀ କହିଛନ୍ତି, କାମ ନିଶ୍ଚୟ ହେବ’ ବୋଲି ଲୋକଙ୍କୁ କହି ଥାଆନ୍ତେ। କିନ୍ତୁ ବର୍ତ୍ତମାନ କ’ଣ କହି ଲୋକଙ୍କୁ ସାମ୍ନା କରିବେ, ଚିନ୍ତାରେ ପଡ଼ିଛନ୍ତି।