କନକ ବ୍ୟୁରୋ : ଶୁକ୍ରବାର ମହାରାଷ୍ଟ୍ର ନାସିକରେ ବିଶାଳ ରୋଡ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅଟଳ ସେତୁ ଉଦଘାଟନ ପୂର୍ବରୁ ଏଠାରେ ପହଁଚି ମୋଦୀ ରୋଡ ଶୋ କରିବା ସହ ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲେ । ରାସ୍ତାର ଦୁଇ କଡରେ ଛିଡା ହୋଇ ଶହ ଶହ ପ୍ରଶଂସକ, ସମର୍ଥକ ମୋଦୀଙ୍କ ଉପରେ ଫୁଲବର୍ଷା ସହ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ ।
ରୋଡ ଶୋ ପରେ ନାସିକରେ ପ୍ରସିଦ୍ଧ କାଲରାମ ମନ୍ଦିରକୁ ଯାଇଥିଲେ ପ୍ରଧାନମନ୍ତ୍ରୀ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଭୁ କାଲାରାମଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ମୋଦୀ । ଏହା ଭିତରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଭଜନମଣ୍ଡଳୀଙ୍କ ସହ ଏକାଠି ମିଶି କିଛି ସମୟ ପାଇଁ ସଂକୀର୍ତ୍ତନ କରିଥିଲେ ପ୍ରଧାନମନ୍ତ୍ରୀ । ପରେ ବେଦପାଠରେ ସାମିଲ ହେବା ସହ କିଛି ସମୟ ଧ୍ୟାନ ମଧ୍ୟ କରିଥିଲେ ।
ସ୍ୱଚ୍ଛତା ଅଭିଯାନରେ କାଲାରାମ ମନ୍ଦିରକୁ ନିଜ ହାତରେ ସଫା କରିଛନ୍ତି ପ୍ରଧାନମନ୍ତ୍ରୀ । ପରିସରର କିଛି ସ୍ଥାନରେ ପାଣି ପୋଛା ମାରି ଦେଶର ସମସ୍ତ ମନ୍ଦିର, ମଠ ଓ ଧାର୍ମିକ ଅନୁଷ୍ଠାନକୁ ସଫା ରଖିବାକୁ ଅପିଲ କରିଛନ୍ତି ।ଦେଶବାସୀଙ୍କୁ ଶ୍ରମଦାନ କରି ସ୍ୱଚ୍ଛତା ଅଭିଯାନ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।
ନାସିକ ଗସ୍ତ ସମୟରେ ୨୭ତମ ଯୁବ ଉତ୍ସବକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ରାଜ୍ୟକୁ ୩୦ହଜାର କୋଟି ଟଙ୍କାର ଭେଟି ଦେଇଛନ୍ତି । କୁହାଯାଉଛି ସାଧାରଣ ନିର୍ବାଚନ ପୂର୍ବରୁ ନାସିକରେ ଶକ୍ତିପ୍ରଦର୍ଶନ କରି ଓ ମହାରାଷ୍ଟ୍ରକୁ ବିଶାଳ ଉପହାର ପ୍ରଦାନ କରି ବିଜେପି ଭୋଟ ପାଇଁ ଗୋଟି ଚାଳନା କରିଛି ।