ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ: ଭାରତ-ଚୀନ ଉତ୍ତେଜନା ଭିତରେ ଆଲୋଚନକୁ ନେଇ ଜୋରଦାର ଚର୍ଚ୍ଚା; ରାଷ୍ଟ୍ରପତି ଭବନ କିମ୍ବା ପିଏମଓର ଔପଚାରିକ ସୂଚନାକୁ ଅପେକ୍ଷା

808

କନକ ବ୍ୟୁରୋ: ଲଦାଖ ସୀମାରେ ଭରତ-ଚୀନ ମଧ୍ୟରେ ଉତେଜନା ବଢୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧାଘଂଟା ଧରି ଆଲୋଚନା ହୋଇଥିଲା । ଆଲୋଚନାର ବିଷୟବସ୍ତୁକୁ ନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ବର୍ତମାନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନାକୁ ବେଶ ଗୁରୁତ୍ୱ ଦିଆଯାଉଛି । ରାଷ୍ଟ୍ରପତି ହେଉଛନ୍ତି ଭାରତର ତିନି ବାହିନୀର ମୁଖ୍ୟ । ବର୍ତମାନ ପୂର୍ବ ଲଦାଖରେ ଭାରତ ସେନାବାହିନୀ ଠୁଳ କରୁଛି । ଆକାଶ ବାହିନୀର ଲଢୁଆ ବିମାନ ପଇଁତରା ମାରୁଛନ୍ତି ।

ସେପଟେ ଚୀନ ସେନା ମଧ୍ୟ ଗଲୱାନ ଘାଟି ଅଂଚଳରେ ସୈନ ବାହିନୀ ଠୁଳ କରିଛି । ଚୀନର ଲଢୁଆ ବିମାନ ମଧ୍ୟ ସୀମା ନିକଟରେ ପଇଁତରା ମାରୁଛନ୍ତି । ଉଭୟ ପକ୍ଷ ଏକ ପ୍ରକାର ମୁହାଁ ମୁହିଁ ସ୍ଥିତିରେ ଥିବା ବେଳେ କୁଟନୈତିକ ସ୍ତରରେ ଆଲୋଚନା ବି ଚାଲିଛି । ହେଲେ ରିପୋର୍ଟ ଅନୁସାରେ ଗଲୱାନ ଘାଟିରେ ଚୀନ ସୈନ୍ୟ ବାହିନୀ ଡେରା ପକାଇଛନ୍ତି । ଭାରତ ଚାହୁଁଛି, ଗଲୱାନ ଘାଟିରୁ ପ୍ରଥମେ ଚୀନ ଓହରି ଯାଉ ।

କିନ୍ତୁ ଚୀନ କହୁଛି, ଗଲୱାନ ଘାଟି ତାଙ୍କର । ତେଣୁ କୁଟନୈତିକ ସ୍ତରରେ ମଧ୍ୟ ଆଲୋଚନା ବିଶେଷ ଫଳପ୍ରଦ ହୋଇ ପାରୁନାହିଁ । ଗତ ଜୁନ୍ ୧୫ ତାରିଖରେ ଏକ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଉତେଜନା ବଢିବାରେ ଲାଗିଛି ।ଏହି ସ୍ଥିତିରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନାକୁ ବେଶ ଗୁରୁତ୍ୱ ଦିଆଯାଉଛି ।