କରୋନା କାଳରେ ବାତ୍ୟା ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ: କହିଲେ, ଧୈର୍ଯ୍ୟ ଓ ସାହସର ସହ ମୁକାବିଲା କରିଛନ୍ତି ଲୋକେ

ଏପଟେ କରୋନା ମୁକାବିଲା ପାଇଁ ସାମୁହିକ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଲେ ନରେନ୍ଦ୍ର ମୋଦି

1,821

କନକ ବ୍ୟୁରୋ: କରୋନା କାଳରେ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି କହିଛନ୍ତି-ଲୋକ ଧୈର୍ଯ୍ୟ ଓ ସାହାସିକତାର ସହ ସ୍ଥିତିର ମୁକାବିଲା କରିଛନ୍ତି । ଆଉ ଏହାରି ଭିତରେ କରୋନା ଲଢ଼େଇର ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେଲେ ସାମୂହିକ ଭାବେ ଲଢ଼େଇ ଜାରି କରିବାକୁ ହେବ ବୋଲି ଆଜି ମନ୍ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେବା ମନୋଭାବ ରଖି ଦେଶବାସୀ ଏହି ଲଢ଼େଇରେ ସାମିଲ ହୋଇଛନ୍ତି, ଯାହା ଫଳରେ ଅନ୍ୟଦେଶ ତୁଳାନରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି ।

ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଶ୍ରମିକଙ୍କ ସମସ୍ୟା ପ୍ରସଙ୍ଗରେ ମଧ୍ୟ ସୂଚନା ଦେଇଛନ୍ତି ମୋଦି । ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ବସ୍ ଏବଂ ଟ୍ରେନ୍ ବ୍ୟବସ୍ଥା ହୋଇଛି । ଶ୍ରମିକଙ୍କ ସ୍ଥାନାନ୍ତର, ଖାଦ୍ୟ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସରକାର ଗୁରୁତର ସହ ନେଇଛନ୍ତି ବୋଲି ମୋଦି କହିଛନ୍ତି । ଅନେକ ସ୍ଥାନରେ ସ୍ୱେଚ୍ଛାକୃତ ଭାବେ ଲୋକ ମଧ୍ୟ ଏମାନଙ୍କୁ ସହଯୋଗ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଆତ୍ମନିର୍ଭର ଭାରତର ଆହ୍ୱାନକୁ ମଜବୁତ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାରା ଭାରତ ବର୍ଷ ଏବେ ଆତ୍ମନିର୍ଭର ଭାରତକୁ ନେଇ ମନ୍ଥନ ଆରମ୍ଭ କରିଛି । ସେହିପରି ଯୋଗ ଓ ଆର୍ୟୁବେଦ ସୁସ୍ଥ ଜୀବନ ପାଇଁ ବେଶ ଉପାଦେୟ ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାରି ଭିତରେ ମାସ୍କ ପରିଧାନ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୁଣି ଥରେ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।