ଟାଇମ୍ ମାଗାଜିନ: ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପୁଣି ମୋଦୀ । ମମତା ବାନାର୍ଜୀ, ଅଦାରା ପୁନାୱାଲାଙ୍କ ନାଁ ମଧ୍ୟ ସାମିଲ ।

473

କନକ ବ୍ୟୁରୋ: ଆମେରିକାର ପ୍ରସିଦ୍ଧ ଟାଇମ୍ ମାଗାଜିନ ଚଳିତ ବର୍ଷର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଯାହା ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସିରମ ଇନଷ୍ଟିଚ୍ୟୁଟର ସିିଇଓ ଅଦାର ପୁନାବାଲା ରହିଛନ୍ତି । ତାଙ୍କ ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଚଳିତ ବର୍ଷ ଟାଇମ୍ ମାଗାଜିନରେ ସ୍ଥାନ ପାଇଥିବା ସୂଚନା ମିଳିଛି । ଟାଇମ୍ ମାଗାଜିନର ଏହି ଲିଷ୍ଟକୁ ମୋଟ ୬ ଭାଗରେ ବିଭକ୍ତ କରାଯାଇଛି । ଯେଉଁଥିରେ କଳାକାର, ଲିଡର, ଆଇକନ ଭଳି ଅନେକ ବିଭାଗ ରହିଛି । ତା ସହିତ ସାରା ଦୁନିଆର ଅନେକ ଚର୍ଚ୍ଚିତ ଚେହେରାଙ୍କୁ ଏହି ଲିଷ୍ଟରେ ସାମିଲ କରାଯାଇଛି ।

ଗତ ବର୍ଷ ମଧ୍ୟ ଟାଇମ୍ ମାଗାଜିନର ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିଲେ ପ୍ରଧାନମନ୍ତ୍ର ମୋଦୀ । ଗତ ବର୍ଷ ଏହି ତାଲିକାରେ ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା , ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଏଚଆଇଭି ଉପରେ ରିସର୍ଚ୍ଚ କରୁଥିବା ରବିନ୍ଦର ଗୁପ୍ତା ଏବଂ ଶାହିନ ବାଗ ଧାରଣାରେ ସାମିଲ ଥିବା ବିଲିକ୍ସଙ୍କ ନାମ ସାମିଲ ଥିଲା ।

ଚଳିତ ବର୍ଷ ନରେନ୍ଦ୍ର ମୋଦୀ, ମମତା ବାନାର୍ଜୀ ଓ ଅଦାରା ପୁନାଓ୍ୱାଲାଙ୍କ ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଉପ ରାଷ୍ଟ୍ରପତି କମଳା ହାରିସ, ଚୀର ରାଷ୍ଟ୍ରପତି ସି ଜିନପିଙ୍ଗ୍, ପ୍ରିନ୍ସ ହ୍ୟାରୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ସାମିଲ ଅଛି । ଖାଲି ସେତିକି ନୁହେଁ, ଆଫଗାନିସ୍ତାନକୁ କବଜା କରି ତାଲିବାନୀ ସରକାର ଗଠନ କରିଥିବା ମୁଲ୍ଲା ବରାଦର ମଧ୍ୟ ଏହି ଲିଷ୍ଟରେ ରହିଛନ୍ତି ।