ଭବ୍ୟ ରାମମନ୍ଦିର ପାଇଁ ଅଯୋଧ୍ୟାରେ ଭୂମିପୂଜନ କଲେ ପ୍ରଧାନମନ୍ତ୍ରୀ । ରୁପା ଇଟା ସ୍ଥାପନ କରି ମନ୍ଦିର ନିର୍ମାଣର ମୁଳଦୁଆ ପକାଇଲେ ମୋଦି । କହିଲେ, ପୂରଣ ହେଲା ବର୍ଷ ବର୍ଷର ସ୍ୱପ୍ନ, ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ ରାମ ମନ୍ଦିର

607

କନକ ବ୍ୟୁରୋ: ପ୍ରାୟ ତିନି ଦଶନ୍ଧି ତଳେ ଦେଶବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ ହେଉଥିଲା । ଆଉ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀରାମଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନିଅଁ ପଡୁଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମି ପୂଜନ ଉପରେ ଅଟକି ରହିଥିଲା କୋଟିକୋଟି ରାମ ପ୍ରେମୀଙ୍କ ନଜର । ରୁପା ଇଟାରେ ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ମୋଦି । ଏହି ଐତିହାସିକ ମୁହୂର୍ତର ସାକ୍ଷୀ ପାଲଟିଥିବାରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଅନେକ ଲୋକ ନିଜକୁ ବିଶ୍ୱାସ କରିପାରୁନଥିବେ । କାରଣ ସେମାନଙ୍କ ଜୀବଦଶାରେ ରାମ ମନ୍ଦିର ନିର୍ମାଣ ସତ ହେବାକୁ ଯାଉଛି ।

ମୋଦି କହିଛନ୍ତି ଦୀର୍ଘ ଶତାବ୍ଦୀର ଅପେକ୍ଷାର ଅନ୍ତ ହୋଇଛି । ଅଯୋଧ୍ୟାରେ ଦେଶ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡିଛି । ଭାଙ୍ଗିବା, ଗଢିବାର ବ୍ୟତିକ୍ରମରୁ ଆଜି ରାମ ଜନ୍ମଭୂମି ମୁକ୍ତି ପାଇଛି । ଦୀର୍ଘ ଦଶନ୍ଧି ହେଲା ଏକ ଅସ୍ଥାୟୀ ଟେଂଟରେ ବିରାଜମାନ ରାମ ଲଲ୍ଲାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣର ସ୍ୱପ୍ନ ସାକାର ହେବାକୁ ଯାଉଛି । ରାମ ନନ୍ଦିର ନିର୍ମାଣ ଆମ ଦେଶର ଏକତାକୁ ଦର୍ଶାଇବ ।

ବିଧି ଅନୁସାରେ ଏକ ରୁପା ଇଟାରେ ରାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ ମନ୍ଦିରର ଭିତିପ୍ରସ୍ତର ନିର୍ମାଣ ପାଇଁ ସାରା ବିଶ୍ୱରୁ ଭକ୍ତମାନେ ପଠାଇଥିବା ଇଟା ହିଁ ବ୍ୟବହାର ହେବ । ୧୯୮୯ରୁ ପ୍ରାୟ ୨ ଲକ୍ଷ ୭୫ ହଜାର ଏହିପରି ଇଟା ମହଜୁଦ ରହିଛି । କରୋନା ମହାମାରୀ ସମୟରେ ସାମାଜିକ ଦୂରତା ରଖି କେବଳ ୧୭୫ ଜଣ ନିମନ୍ତ୍ରିତ ଅତିଥୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ଶିଳାନ୍ୟାସ ଉତ୍ସବ । ୟୁପି ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏହି ଅବସରରେ ଉପସ୍ଥିତ ଥିଲେ ।

ତେବେ ପାରମ୍ପରିକ ଧୋତି ଓ କୂର୍ତା ପିନ୍ଧି ଅଯୋଧ୍ୟାର ରାମ ଜନ୍ମଭୂମିରେ ପହଂଚିବା ପୂର୍ବରୁ ହନୁମାନ ଗଡିରେ ପୂଜାର୍ଚ୍ଚାନ କରିଥିଲେ ମୋଦି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଅନୀଲ ମିଶ୍ରଙ୍କ କହିବା ହେଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କରିବା ପୂର୍ବରୁ ହନୁମାନଙ୍କ ଅନୁମତି ନେଇଥିଲେ ମୋଦି ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ରାମ ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିଛନ୍ତି । ଯେଉଁଠାରେ ୧୯୪୯ରୁ ପୂଜା ପାଉଛନ୍ତି କୋଟିକୋଟି ହିନ୍ଦୁଙ୍କ ଆରାଧ୍ୟ ମହାପ୍ରଭୁ ରାମ । ଦୀର୍ଘ ଦଶନ୍ଧିର ନ୍ୟାୟିକ ଲଢେଇ ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି କ୍ଷେତ୍ରକୁ ହିନ୍ଦୁ ମାନଙ୍କୁ ହସ୍ତାନ୍ତର କରିବା ସହ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ । ବିଜେପି ରାଜନୀତିରେ ଏହା ଦଳ ପାଇଁ ସବୁଠାରୁ ବଡ ଉପଲବ୍ଧି ହୋଇପାରିଛି ।