କନକ ବ୍ୟୁରୋ : ଉତ୍ତରପ୍ରଦେଶରେ କଳକୀ ଧାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ କଳକୀ ଧାମ ମନ୍ଦିରର ଭୂମିପୂଜନ ଉତ୍ସବରେ ସାମିଲ ହୋଇଛନ୍ତି ମୋଦୀ । ଏହି ଭୂମି ପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଉପସ୍ଥିତ ରହିଥିଲେ ।

Advertisment

ଭୂମି ପୂଜନ ଉତ୍ସବ ପରେ ପ୍ରଧାନମନ୍ତ୍ରୀଙ୍କୁ ମଞ୍ଚ ଉପରେ ସ୍ୱାଗତ କରିଥିଲେ କଳକୀ ଧାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ । ଆଚାଯ୍ୟ ନିଜ ଅଭିଭାଷଣରେ କହିଛନ୍ତି, କଳକୀ ଧାମକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ । ୧୮ ବର୍ଷ ପୂର୍ବର ସ୍ୱପ୍ନ ପୂରା କରିବାକୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ସାଧୁ ସନ୍ଥ ଏଠାରେ ଏକାଠି ହୋଇଛନ୍ତି । ଯେବେ ଯେବେ ଅର୍ଧମ ଓ ପାପ ଚରମସୀମାରେ ପହଞ୍ଚିଥାଏ ସେବେ ଅଧର୍ମୀଙ୍କୁ ନାଶ କରିବାକୁ ଏବଂ ଧର୍ମର ପୁନଃସ୍ଥାପନା କରିବାକୁ ଭଗବାନ ଅବତାର ନିଅନ୍ତି । ତ୍ରେତୟାରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟାରେ, ଦ୍ୱାପରରେ ପ୍ରଭୁ ଶ୍ରୀକୃଷ୍ଣ ମଥୁରାରେ ଜନ୍ମ ନେଇଥିଲେ । ସେହିଭଳି କଳିଯୁଗରେ ଭଗବାନ କଳକୀ ସମ୍ଭଲ ମାଟିରେ ଜନ୍ମ ନେବେ ।

୫ ଏକର ଜମିରେ ଏହି କଳକୀ ଧାମ ମନ୍ଦିର ନିର୍ମାଣ ହେବ । ୫ ବର୍ଷ ମଧ୍ୟରେ ମନ୍ଦିରର ନିର୍ମାଣ ଶେଷ ହେବ । ବଂଶୀ ପାହାଡପୁରର ଗୋଲାପୀ ରଙ୍ଗର ପଥରରେ ଏହି ମନ୍ଦିରର ନିର୍ମାଣ ହେବ । ଅଯୋଧ୍ୟାର ରାମ ମନ୍ଦିର ଓ ସୋମନାଥ ମନ୍ଦିର ମଧ୍ୟ ଏହି ପାହାଡର ପଥରରେ ନିର୍ମାଣ ହୋଇଥିଲା । ୧୦୮ ଫୁଟ ଉଚ୍ଚର ଏହି ମନ୍ଦିରରେ ଷ୍ଟିଲ କିମ୍ବା ଲୁହାର ବ୍ୟବହାର କରାଯିବ ନାହିଁ । ଏଥିରେ ୧୦ଟି ଗର୍ଭଗୃହ ରହିବ, ଯେଉଁଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ବିଗ୍ରହ ସ୍ଥାପନ କରାଯିବ ।