ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । କୋଭିଡ୍ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହେଲେ ମୋଦି…

102
କନକ ବ୍ୟୁରୋ: ଟିକା ଆସିଲା । ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେଲା । ଏଥରୁ ଦେଶରୁ ବିଦାୟ ନେବ ମହାମାରୀ ଭୁତାଣୁ କରୋନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଗା ଟିକାକରଣର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏମ୍ସରେ ୩୪ ବର୍ଷୀୟ ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ଦେଶର ପ୍ରଥମ ଟିକା ଦିଆଯାଇଛି । ଦେଶବ୍ୟାପୀ ୩ ହଜାର ୬ଟି କେନ୍ଦ୍ରରେ ଏକକାଳୀନ ଟିକାକରଣ ଆରମ୍ଭ ହୋଇଛି । ସେହିପରି ଟିକା ନିରାପଦ ଏହି ବାର୍ତା ଦେବାକୁ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ, ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଭଳି ବଡବଡ ହସ୍ତୀ ଟିକା ନେଇଛନ୍ତି ।
ପ୍ରାୟ ୧୦ ମାସ ଧରି ଯାହାକୁ ସାରା ଦେଶବାସୀ ଅପେକ୍ଷା କରି ରହିଥିଲେ, କରୋନା ବିରୋଧରେ ସେହି ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହୋଇଛି । ଆଉ ମେଗା ଟୀକାକରଣର ଉଦଘାଟନ କରି ଭାବବିହ୍ୱଳ ହୋଇପଡ଼ିଲେ ପ୍ରଥାନମନ୍ତ୍ରୀ । ଦେଶ ସଂକଟଜନକ ସ୍ଥିତିରେ ଗତି କରୁଥିବା ବେଳେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବବିହ୍ୱଳ ହୋଇ ପଡିଛନ୍ତି ମୋଦି । ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ବେଳେ ବାଷ୍ପରୁଦ୍ଧ ହୋଇ ଯାଇଥିଲା ପ୍ରଧାନମନ୍ତ୍ରୀଙ୍କ କଣ୍ଠସ୍ୱର । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ହୋଇଥିବା ଭାରତରେ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଦେଶରେ ପ୍ରଥମ କରୋନା ଟିକା ନେଇଛନ୍ତି,ଦିଲ୍ଲୀ ଏମ୍ସର ୩୪ ବର୍ଷୀୟ ସଫେଇ କର୍ମଚାରୀ ମନୀଷ କୁମାର ।
କରୋନା ଟିକା-ସଂପୂର୍ଣ୍ଣ ନିରାପଦ, ଏହି ବାର୍ତା ଦେବା ପାଇଁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ନୀତି ଆୟୋଗ ସଦସ୍ୟ ତଥା କୋଭିଡ୍ ଟାକ୍ସ ଫୋର୍ସ ମୁଖ୍ୟ ଡକ୍ଟର ଭିକେ ପଲ୍, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡକ୍ଟର ମହେଶ ଶର୍ମା ପ୍ରଥମ ଦିନରେ ଟିକା ନେଇଛନ୍ତି । କୋଭିସିଲ୍ଡ ନିର୍ମାତା ସିରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା ମଧ୍ୟ ନେଇଛନ୍ତି କରୋନା ଟିକା । 
ଦେଶବ୍ୟାପୀ ୩ ହଜାର ୬ଟି କେନ୍ଦ୍ରରେ ଏକକାଳୀନ ଟିକାକରଣ ଆରମ୍ଭ ହୋଇଛି । ପ୍ରତି କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ । ଦେଶରେ ଦୈନିକ ପ୍ରାୟ ୩ ଲକ୍ଷ ଟିକା ନେବେ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ କୋଟି ସ୍ୱାସ୍ଥ୍ୟକର୍ମୀ, ୨ କୋଟି ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ଟାର୍ଗେଟ ରହିଛି । ଏହା ସହ ୫୦ ବର୍ଷରୁ ଉଦ୍ଧ୍ୱର୍ ଓ ବିଭିନ୍ନ ରୋଗରେ ପୀଡ଼ିତ ୨୭ କୋଟି ଲୋକଙ୍କ ଟିକାକରଣ ପାଇଁ ଯୋଜନା ରହିଛି । ଭାରତର ଏହି ମେଗା ଟିକାକରଣ ଉପରେ ସାରା ବିଶ୍ୱ ନଜର ରଖିଛି । ଦେଶରେ ଦ୍ୱିତୀୟ ୱେଭ୍ ଆସିବା ପୂର୍ବରୁ ଏହି ବ୍ୟାପକ ଟିକାକରଣ କାର୍ଯ୍ୟକ୍ରମ, କରୋନା ମୁକାବିଲାରେ ନିର୍ଣ୍ଣାୟକ ହେବ ବୋଲି ଆଶା କରାଯାଉଛି ।