ଚାଷୀଙ୍କୁ ମୋଦିଙ୍କ ଉପହାର । ପିଏମ୍ କିଷାନ୍ ଯୋଜନାରେ ସାଢ଼େ ୮ କୋଟି ଚାଷୀଙ୍କ ଖାତାକୁ ଟଙ୍କା ପଠାଇଲା କେନ୍ଦ୍ର । କୃଷି ଭିତ୍ତିଭୂମି ପାଣ୍ଠି ପାଇଁ ୧ ଲକ୍ଷ କୋଟି ଘୋଷଣା ।

1,478

କନକ ବ୍ୟୁରୋ : ଆଜି ପବିତ୍ର ବଳରାମ ଜୟନ୍ତୀରେ ଦେଶର ଅନ୍ନଦାତାଙ୍କୁ ବଡ ଆଶ୍ୱସ୍ତି ଆଣିଦେଇଛନ୍ତି କେନ୍ଦ୍ର ସରକାର । ସାଢେ ୮ କୋଟି ଚାଷୀଙ୍କ ପାଖରେ ପହଞ୍ଚିଯାଇଛି ପିଏମ କିଷାନ ଯୋଜନାର ଷଷ୍ଠ କିସ୍ତି ଟଙ୍କା । ଡିବିଟି ଜରିଆରେ ସିଧାସଳଖ ଚାଷୀଙ୍କ ଖାତାରେ ଜମା ହୋଇଛି ୧୭ ହଜାର କୋଟି ଟଙ୍କା । ସେହିପରି କୃଷି ଭିତିଭୂମିର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି । ଅଧିକ ଅମଳ ପାଇଁ ଚାଷୀଙ୍କୁ ସହଜ ରୁଣଠାରୁ ଆରମ୍ଭ କରି ଉତ୍ପାଦନ ପରବର୍ତ୍ତୀ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ସହ ଗ୍ରାମାଂଚଳର ଚାଷୀକୁ ବଡବଡ ସହରରେ ଥିବା ବଜାର ସହ ଯୋଡିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପର ଏହା ଏକ ଅଂଶ ।

‘ପିଏମ କିଷାନ’ ଯୋଜନାରେ ଚାଷୀଙ୍କୁ ସହାୟତା । ୮.୫ କୋଟି ଚାଷୀଙ୍କୁ ମିଳିଲା ୧୭ ହଜାର କୋଟି ଟଙ୍କା । ୨୦୧୮ ଡିସେମ୍ବର ପହିଲାରୁ ସାରା ଦେଶରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆଜି ଦିଆଯାଇଛି ଷଷ୍ଠ କିସ୍ତି ଟଙ୍କା । ଡିବିଟି ଜରିଆରେ ଦେଶର ୮ କୋଟି ୫୫ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ପହଂଚିଯାଇଛି ୧୭ ହଜାର ୧୦୦ କୋଟି ଟଙ୍କା । କରୋନା କାଳରେ ଖରିଫ ଚାଷ ଆରମ୍ଭ କରିସାରିଥିବା କିମ୍ବା କରିବାକୁ ଯାଉଥିବା ଚାଷୀଙ୍କ ପାଇଁ ଏହି ଟଙ୍କା ବିଶେଷ ସହାୟକ ହେବ । ପିଏମ କିଷାନ ଯୋଜନାରେ ଦେଶର ପ୍ରାୟ ୧୪ କୋଟି ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ତିନିଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଆଧାର ଲିଙ୍କ ଥିବା ଚାଷୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହେଉଛି ।

ବଳରାମ ଜୟନ୍ତୀରେ ମୋଦିଙ୍କ ବଡ ଭେଟି । କୃଷି ଭିତ୍ତିଭୂମିର ବାକିଶ ପାଇଁ ୧ ଲକ୍ଷ କୋଟି । ଗତମାସରେ କେନ୍ଦ୍ର କ୍ୟାବିନେଟର ନିଷ୍ପତି କ୍ରମେ ଦେଶରେ କୃଷି ଭିତିଭୂମିର ବିକାଶ ପାଇଁ ୧ ଲକ୍ଷ କୋଟିର ଆର୍ଥିକ ପାଣ୍ଠି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ୧୦ ବର୍ଷ ଅର୍ଥାତ ୨୦୨୯ ଯାଏଁ ଏହି ପାଣ୍ଠି କୃଷି କ୍ଷେତ୍ରର ବିକାଶ ପାଇଁ ଉପଲବ୍ଧ ହେବ । ଅଧିକ ଅମଳ ପାଇଁ ସ୍ୱଳ୍ପରୁ ମଧ୍ୟମ ଅବଧିର ରୁଣ ସୁବିଧାରୁ ଆରମ୍ଭ କରି ଉତ୍ପାଦନ ପରବର୍ତ୍ତୀ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । କୃଷି ଉଦ୍ୟୋଗ, ଷ୍ଟାର୍ଟଅପ୍ସ ଓ କୋ-ଅପରେଟିଭ ସୋସାଇଟି ଜରିଆରେ ଏହି ଟଙ୍କା ଚାଷୀଙ୍କୁ ଯୋଗାଇ ଦିଆଯିବ । ଯୋଜନାରେ ୨ କୋଟି ପର୍ଯ୍ୟନ୍ତ ଋଣ ଗ୍ୟାରେଂଟି ଦେବେ କେନ୍ଦ୍ର ସରକାର ।

ଭିଡିଓ କନଫରେନ୍ସିଂ ଜରିଆରେ ଦେଶରେ କୃଷି ଓ କୃଷକର ଉନ୍ନତି ପାଇଁ ଏହି ମେଗା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ । ଦେଶର ଚାଷୀ, ସାଧାରଣ ନାଗରିକ ଓ କୋ-ଅପରେଟିଭ ସୋସାଇଟି ସଦସ୍ୟଙ୍କ ସହ ମୋଦି କଥା ହୋଇଥିଲେ । ଏହି ସମୟରେ ମହାରାଷ୍ଟ୍ରରୁ ବିହାର ମଧ୍ୟରେ ଆରମ୍ଭ ହୋଇଥିବା କିଷାନ ରେଲ କିଭଳି ଛୋଟିଆ ଗାଁର ଚାଷୀଙ୍କୁ ଦେଶର ବଡବଡ ସହର ସହିତ ଯୋଡିବାରେ ପ୍ରମୁଖ ଭୂମିକା ନେବ ସେ ବାବଦରେ ବୁଝାଇ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।