ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା : କରୋନା ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା

80

କନକ ବ୍ୟୁରୋ : କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ମଧ୍ୟରେ ଫୋନରେ କଥାବାର୍ତା ହୋଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଆଲୋଚନା ସକାରାତ୍ମକ ହୋଇଛି । ଟିକାର କଂଚାମାଲ ଓ ଯୋଗାଣ ନେଇ ଦୁଇ ନେତା ବିସ୍ତୁତ ଭାବେ ଆଲୋଚନା କରିଛନ୍ତି ।

ଏହି ସଙ୍କଟ ସମୟରେ ଆମେରିକା ଭାରତର ସାଥ ଦେଇଥିବାରୁ ମୋଦି, ବାଇଡେନଙ୍କୁ ଧନ୍ୟବାଦ ଦେଇଥିଲେ । ବିଶ୍ୱ ସମୁଦାୟର କଡା ସମାଲୋଚନା ପରେ ଭାରତକୁ ଟିକା ପ୍ରସ୍ତୁତ ପାଇଁ ଆବଶ୍ୟକୀୟ କଂଚା ମାଲ ଯୋଗାଇବା ପାଇଁ ରାଜି ହୋଇଥିଲା ଆମେରିକା । ଗତବର୍ଷ କରୋନା ସମୟରେ ଭାରତ, ଆମେରିକାକୁ ଯଥାସମ୍ଭବ ସହାୟତା ପ୍ରଦାନ କରିଥିଲା । ବର୍ତମାନ ସମୟରେ କୋଭିଡ ଯେତେବେଳେ ଭାରତରେ ଭୟଙ୍କର ରୂପ ଧାରଣ କରିଛି ଏହାର ମୁକାବିଲା ପାଇଁ ଆମେରିକା ଭାରତକୁ ମେଡିକାଲ କ୍ଷେତ୍ରରେ କଂଚାମାଲ ଯୋଗାଇଦେବ ।

ଆମେରିକା ଓ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଏହି ପ୍ରସଙ୍ଗରେ ଆଲୋଚନା ବି ହୋଇଥିଲା । ଆମେରିକାରୁ ଆସିଥିଲା ଅକ୍ସିଜେନ କନସେନଟ୍ରେଟର ବା ଅମ୍ଳଜାନ ଉତ୍ପାଦନ ଉପକରଣ । ବାୟୁରୁ ଅକ୍ସିଜେନ ପ୍ରସ୍ତୁତ କରୁଥିବା ୩୧୮ଟି ଅମ୍ଳଜାନ ଉତ୍ପାଦନ ଉପକରଣ ଆମେରିକାର କେନେଡି ଆନ୍ତଜାର୍ତୀୟ ବିମାନବନ୍ଦରରୁ ଭାରତରେ ପହଁଚିଛି । ଦୁଇ ଦିନ ଭିତରେ ଏହିପରି ଆଉ ୬୦୦ଟି ଉପକରଣ ଆସିବ ବୋଲି ଜଣାପଡିଛି । ଏହି ଉପକରଣ ଦ୍ୱାରା ଭାରତର ସବୁଠାରୁ ଅଧିକ ଆବଶ୍ୟକ ଥିବା ଅମ୍ଳଜାନର ଅଭାବ ଅନେକ ମାତ୍ରାରେ ପୂରଣ ହୋଇପାରିବ ବୋଲି କୁହାଯାଉଛି । ଏହାପରେ ମୋଦି-ବାଇଡେନ ଆଲୋଚନାକୁ ବେଶ ଗୁରୁତ୍ୱପୂର୍ଣ୍ଣ କରାଯାଉଛି ।