‘ଓଡିଶାରେ ରେଲୱେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଶେଷ ଆଗ୍ରହୀ’ : ଅଶ୍ୱିନୀ ବୈଷ୍ଣବ

144

କନକ ବ୍ୟୁରୋ: ଓଡ଼ିଶା ନିର୍ମାଣ କନକ୍ଲେଭ -୨୦୨୨ରେ ଯୋଗ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।  ଏହି ଅବସରରେ ଓଡିଶା ପାଇଁ ରେଳ ଚଳାଚଳ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର କରୁଥିବା ପ୍ରକଳ୍ପ ନେଇ ମତ ରଖିଛନ୍ତି । କହିଛନ୍ତି, ‘୨୦୧୪ ପୂର୍ବରୁ ରେଲୱେର ବିକାଶ ପାଇଁ ଓଡ଼ିଶାକୁ ଆସୁଥିଲା ବାର୍ଷିକ ୮୩୮ କୋଟି ଟଙ୍କା । ମୋଦୀ ସରକାରରେ ଏହି ଅନୁଦାନ ୪ ଗୁଣାରୁ ଅଧିକ ବଢିଛି । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ରେଲୱେ ଅନୁଦାନ ମିଳିଛି । ଓଡ଼ିଶା ପାଇଁ ୫୫୨୧୯ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୩୧ ମାର୍ଚ୍ଚ ପରେ ଏବେ ସୁଦ୍ଧା ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

କଂଗ୍ରେସ ସମୟରେ ବର୍ଷକୁ ୨୫ରୁ ୨୬ କିଲୋମିଟର ରେଳ ଲାଇନ ସମ୍ପୂର୍ଣ୍ଣ ହେଉଥିଲା । ଗତବର୍ଷ ଓଡ଼ିଶାରେ ୧୮୦ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ହୋଇଛି । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୫୫୦ କିଲୋମିଟରର ନୂଆ ରେଳ ଲାଇନ କାର୍ୟ୍ୟ ଓଡ଼ିଶାରେ ଶେଷ ହେବ । ଓଡ଼ିଶାରେ ରେଲୱେ କ୍ଷେତ୍ରରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରହୀ । ମନରେ କୌଣସି ଅହଙ୍କାର ନରଖି ଦରକାର ପଡିଲେ ଆରଆଇଙ୍କ ପାଖକୁ ଯାଇ ମଧ୍ୟ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ଦେବା ଓ ତୁରନ୍ତ କାମ କରାଯିବାକୁ ଆମେ ପ୍ରସ୍ତୁତ ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି ।