କନକ ବ୍ୟୁରୋ: ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦକ୍ଷତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ ୨୦୧୪ ପରେ ଇଡିର ଦକ୍ଷତାରେ ଉନ୍ନତି ଘଟିଛି । ଏଥିପାଇଁ ପ୍ରମାଣ ସ୍ୱରୂପ ପରିସଂଖ୍ୟାନ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଇଡି ୨୦୧୪ ପୂର୍ବରୁ ମନି ଲଣ୍ଡରିଂ ନିବାରଣ ଆଇନ ବା ପିଏମଏଲଏ ଅଧୀନରେ ୧ ହଜାର ୮୦୦ରୁ କମ୍ ମାମଲା ରୁଜୁ କରିଥିଲା । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଏହି ସଂଖ୍ୟା ୫ ହଜାରରୁ ଅଧିକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୪ ପୂର୍ବରୁ ଏବଂ ପରେ ହୋଇଥିବା ସର୍ଚ୍ଚ ଅପରେସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି କହିଛନ୍ତି । ଟାର୍ଗେଟ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରାଯାଉଛି ବୋଲି ବିରୋଧୀ ଦଳମାନେ ଉଠାଇଥିବା ଅଭିଯୋଗର ଜବାବ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏପରି କିଛି କହିଛନ୍ତି । ସେ କହିଛନ୍ତି ଯେ ଇଡି ଦ୍ୱାରା ରୁଜୁ ହୋଇଥିବା ଦୁର୍ନୀତି ମାମଲା ମଧ୍ୟରୁ ମାତ୍ର ୩ ପ୍ରତିଶତ ରାଜନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ରହିଛି । ବିରୋଧୀ ଦଳଗୁଡ଼ିକର ସମାଲୋଚନାକୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଯଦି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୌଣସି ଅନୁଷ୍ଠାନ ଗଠନ କରାଯାଇଛି, ତା'ହେଲେ ତାହା କାମ କରୁନାହିଁ କି ବୋଲି ପ୍ରଶ୍ନ ପଚରାଯିବା ଉଚିତ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ଦେବା ଉଚିତ ଏବଂ ସେମାନଙ୍କ ରାଜନୈତିକ ସ୍ୱାର୍ଥ ପାଇଁ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ ୍ ନୁହେଁ ।