ସାକ୍ଷାତକାରରେ ମୋଦି କହିଲେ ମନର କଥା । ପ୍ରଧାନମନ୍ତ୍ରୀ ନୁହେଁ ସେନାରେ ସାମିଲ ହେବାକୁ ରଖିଥିଲେ ଇଚ୍ଛା ।

381

କନକ ବ୍ୟୁରୋ : ନିର୍ବାଚନ ସମୟରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଏହି ସାକ୍ଷାତକାରରେ ମୋଦି ନିଜ ମନର ଅଜଣା କଥା ବଖାଣିଛନ୍ତି । ମୋଦି କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କେବେ ଭାବି ନଥିଲେ । ଓ ତାଙ୍କ ପରିବାରର କୌଣସି ସଦସ୍ୟ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁ ନଥିଲେ । ମୋଦି କହିଛନ୍ତି, ୧୯୬୨ ଯୁଦ୍ଧ ପରେ ସେନାରେ ଯୋଗଦେବାକୁ ଚାହୁଁଥିଲି । କେବେ ବି ଭାବିନଥିଲି ପ୍ରଧାନମନ୍ତ୍ରୀ ହେବେ ବୋଲି । ଆସନ୍ତୁ ଜାଣିବା କିଭଳି ଥିଲା ଅକ୍ଷୟ କୁମାରଙ୍କ ପ୍ରଶ୍ନ ଆଉ କେମିତି ଉତ୍ତର ରଖିଥିଲେ ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅକ୍ଷୟଙ୍କ ମଧ୍ୟରେ ନନ-ପଲିଟିକସ କଥାବାର୍ତ୍ତା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ।

ମୋଦି: ବିରୋଧୀ ଦଳ ନେତାଙ୍କ ସହିତ ମୋର ଭଲ ସମ୍ପର୍କ ଅଛି । କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବି ଆଜାଦ ମୋର ଜଣେ ଭଲ ବନ୍ଧୁ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମୋତେ ବହୁତ ସମ୍ମାନ କରି ଥାଆନ୍ତି । ମମତା ଦିଦି ଆଜି ବି ବର୍ଷକୁ ଗୋଟିଏ କିମ୍ବା ଦୁଇଟି କୁର୍ତ୍ତା ପଠାଇ ଥାଆନ୍ତି । ସେହିପରି ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବି ବର୍ଷକୁ ୩/୪ ଥର ମିଠା ପଠାଇ ଥାଆନ୍ତି ।

ଅକ୍ଷୟ: ଓଲଟା ଘଡି ପିନ୍ଧିବା ପଛର ରହସ୍ୟ କ’ଣ ?

ମୋଦି: ମୁଁ ଏଥିପାଇଁ ଓଲଟା ଘଡ଼ି ପିନ୍ଧି ଥାଏ କି ସମୟ ଦେଖିଲା ବେଳେ କାହାକୁ ଜଣାପଡ଼ିବ ନାହିଁ । ମିଟିଂରେ ଥିବା ସମୟରେ ଓଲଟା ଘଡ଼ି ପିନ୍ଧି ଥିବା ହେତୁ ସମୟ ଦେଖି ନିଏ। ଏମିତି କରିବା ଦ୍ୱାରା ମୁଁ ଲୁଚି ଲୁଚି ସମୟ ଦେଖୁଛି ବୋଲି କେହି ଜାଣି ପାରନ୍ତି ନାହିଁ ।

ଅକ୍ଷୟଙ୍କ ମୋଦିଙ୍କୁ ପ୍ରଥମ ପ୍ରଶ୍ନ: ମୋର ଡ୍ରାଇଭରଙ୍କ ଝିଅ ପ୍ରଶ୍ନ ପଚାରିଛି କି ଆମର ପ୍ରଧାନମନ୍ତ୍ରୀ କ’ଣ ଆମ୍ବ ଖାଆନ୍ତି ? ଯଦି ଖାଆନ୍ତି କେମିତି ଖାଆନ୍ତି ? ଗୋଟା ନା କାଟି କି ?

ମୋଦି: ହିଁ ମୁଁ ଆମ୍ବ ଖାଏ ଓ ଆମ୍ବ ମୋତେ ବହୁତ ପସନ୍ଦ । ଗୁଜୁରାଟରେ ତ ଆମ୍ବ ରସର ପରମ୍ପରା ଅଛି । ମୁଁ ଯେତେବେଳେ ଛୋଟ ଥିଲି ଆମ୍ବ କିଣିବାକୁ ପାଖରେ ଅର୍ଥ ନଥିଲା । କ୍ଷେତକୁ ଗଲେ ଆମେ ଗଛରେ ଚଢ଼ି ଆମ୍ବ ଖାଇ ଥାଉ । ଚାଷୀ ବି ଆମକୁ ଅଟକାଇ ନଥାଏ । କିନ୍ତୁ ଆମ୍ବ ଚୋରି କରିଲା ବେଳେ ଗାଳି ପଡିଥିଲା । ମୋତେ ଗଛରେ ଲାଗିଥିବା ପାଚିଲା ଆମ୍ବ ଖାଇବାକୁ ବହୁତ ଭଲ ଲାଗେ । ଧୀରେ ଧୀରେ ବଡ଼ ହେବା ପରେ ବିଭିନ୍ନ ପ୍ରକାର ଆମ୍ବ ଖାଇବାକୁ ମିଳିଥିଲା । କିନ୍ତୁ ଏବେ ଆମ୍ବ ଖାଇବାରେ କଣ୍ଟ୍ରୋଲ କରିବାକୁ ପଡୁଛି । ଆମ୍ବ ଖାଇଲା ବେଳେ ଭାବିବାକୁ ପଡ଼ୁଛି ଏତିକି ଖାଇବି ନା ଆଉ ଟିକେ ଖାଇବି।

ଅକ୍ଷୟ: ମୋଦିଙ୍କୁ କେବେ କ୍ରୋଧ ଆସିଛି ? ଏହି କ୍ରୋଧକୁ ସେ କାହା ଉପରେ ବାହାର କରିଛନ୍ତି ?

ମୋଦି: ଏହାର ଆରମ୍ଭ ୧୮-୨୨ ବର୍ଷର ଜୀବନ ଯାତ୍ରା ସମୟରେ ହିମାଳୟରୁ ନେଇ ସନ୍ୟାସର ଅନୁଭବ ମୋତେ ଅନୁଶାସନ ଓ ଆତ୍ମ-ନିୟନ୍ତ୍ରଣ ବିଷୟରେ ଶିଖାଇଛି । ମନରେ ତ କ୍ରୋଧ ଆସିଥାଏ କିନ୍ତୁ ମୁଁ ଏହି କ୍ରୋଧକୁ କାହାରି ଉପରେ ବାହାର କରି ନାହିଁ । ଚପରାସୀ ଠାରୁ ଆରମ୍ଭ କରି ଚିଫ୍ ସେକ୍ରେଟେରି ସ୍ତର ପର୍ଯ୍ୟନ୍ତ କ୍ରୋଧକୁ ବ୍ୟକ୍ତ କରିବାର ଅବସର ମିଳି ନାହିଁ। ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ରହିଥିଲି । କିନ୍ତୁ କାହା ଉପରେ କେବେ ବି କ୍ରୋଧ ଆସି ନାହିଁ । ସମସ୍ତଙ୍କୁ ମୁଁ ସବୁବେଳେ ଭଲ କାମ ପାଇଁ ପ୍ରେରିତ କରିଥାଏ ।

ଅକ୍ଷୟ: ଆପଣ ପିଲାବେଳେ କେଉଁ ଖେଳ ଖେଳୁଥିଲେ ?

ମୋଦି: ପିଲାବେଳେ ଗୁଲିଦଣ୍ଡା ଖେଳିବାକୁ ଭଲ ଲାଗୁଥିଲା । ଏହାଛଡ଼ା ଅଧିକାଂଶ ସମୟ ମୁଁ ପହଁରିବାକୁ ଚାଲି ଯାଉଥିଲି ।

ଅକ୍ଷୟ: ଆପଣଙ୍କୁ ଥଣ୍ଡା ହେଲେ କ’ଣ କରି ଥାଆନ୍ତି ?

ମୋଦି: ସୋରିଷ ତେଲ ଗରମ କରି ନାକରେ ପକାଇ ଦେଇଥାଏ । ଥଣ୍ଡା ଛାଡ଼ି ଯାଇଥାଏ ।

ଅକ୍ଷୟ: ଆପଣଙ୍କୁ ଆଲାଦିନର ଚିରାଗ ମିଳିଗଲେ ତିନିଟି ଜିନିଷ ମାଗିବାକୁ କୁହାଯିବ । କ’ଣ କ’ଣ ମାଗିବେ ?

ମୋଦି: ମୁଁ ପ୍ରଥମେ ଯୁବପିଢ଼ିଙ୍କୁ କହିବି ସେମାନେ ଆଲାଦିନ୍ ଉପରେ ବିଶ୍ୱାସ କରିବା ବନ୍ଦ କରନ୍ତୁ। ଏପରି କରବା ଦ୍ୱାରା ଆଳସ୍ୟ ଆସିଥାଏ । ଏହା ଆମର ଚିନ୍ତା ନୁହେଁ । କିପରି ପରିଶ୍ରମ କରିବା ତାହା ଆମର ଚିନ୍ତା ହେବା ଉଚିତ ।

ଅକ୍ଷୟ: ମା ଓ ପରିବାର ସହିତ ରହିବାକୁ ଆପଣଙ୍କ ଇଚ୍ଛା ହୁଏ ନାହିଁ ?

ମୋଦି: ପିଲାଟି ବେଳରୁ ମୁଁ ଘର ଛାଡ଼ି ଦେଇଛି। ତେଣୁ କିଛି ମୋହମାୟା ମୋର ନାହିଁ। ମୋର ମା’ କହିଥାଏ କି ମୋ ପଛରେ ତୋର ସମୟ ନଷ୍ଟ କରିବା ଆଦୌ ଦରକାର ନାହିଁ । ମା’ ଦିଲ୍ଲୀ ଆସିଲେ ବି ମୁଁ ତାକୁ ସମୟ ଦେଇ ପାରେ ନାହିଁ । ତେଣୁ ସେ ଗାଁର ଲୋକଙ୍କ ସହିତ ରହିଲେ ମୋତେ ଭଲ ଲାଗେ ।