ବାରଣାସୀର କରୋନା ଯୋଦ୍ଧାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : କରୋନା ସମୟରେ ସ୍ୱାସ୍ଥ୍ୟ ସେବା ଓ ପ୍ରଥମେ ଟିକା ନେଇଥିବାରୁ ଜଣାଇଲେ ଧନ୍ୟବାଦ

କହିଲେ ଟିକା ଆଣିବାକୁ ପଡୁଥିଲା ରାଜନୈତିକ ଚାପ

62

କନକ ବ୍ୟୁରୋ : ସାରା ଦେଶରେ କୋଭିଡ ଟିକାକରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ୨୦୨୧ ଶୁଭରେ ଆରମ୍ଭ ହୋଇଛି । ଭାରତରେ ଏବେ ବିଶ୍ୱର ସବୁଠୁ ବଡ ଟିକାକରଣ ଜାରି ରହିଛି । ଭାରତ ଏବେ ଦୁଇଟି ସ୍ୱଦେଶୀ ଟିକା ବିକଶିତ କରିବା ସବ ବିଶ୍ୱର ଅନେକ ଦେଶକୁ ଟିକା ଯୋଗାଇ ଦେଉଛି । ବାରଣାସୀରେ ପ୍ରଥମ ଦଫାରେ ପ୍ରାୟ ୨୦ ହଜାର ଲୋକଙ୍କୁ କରୋନା ଟିକା ଦେବା ପାଇଁ ୧୫ଟି କେନ୍ଦ୍ର କରାଯାଇଛି ।

ସେହିପରି ସମ୍ବୋଧନରେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ଟିକା ପ୍ରସ୍ତୁତ ନହେବା ଆଗରୁ ରାଜନୈତିକ ଚାପ ପଡୁଥିଲା, ବିରୋଧୀ କହୁଥିଲେ, ଟିକା କାହିଁକି ପ୍ରସ୍ତୁତ ହୋଇପାରୁନାହିଁ, ହେଲେ ତାହାର ଜବାବ ଦେବା ବଦଳରେ ସରକାର ବୈଜ୍ଞାନିକଙ୍କ କଥାକୁ ଶୁଣିବା ଠିକ ବୋଲି ବିଚାର କରିଥିଲେ । ସେହିପରି ବାରଣାସୀରେ ଟିକା ନେଇ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଟିକା ନେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ରହିଛି, ସେନେଇ ପଚାରି ବୁଝିଥିଲେ ।