କନକ ବ୍ୟୁରୋ : ଗୁଜରାଟରେ ଆୟୋଜିତ ଭାଇବ୍ରାଂଟ ଗ୍ଲୋବାଲ ସମିଟରେ କିଛି ଏଭଳି ଗ୍ୟାରେଂଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଆହ୍ୱାନ ଏଥିପାଇଁ ଗୁରୁତ୍ୱ ବହନ କରୁଛନ୍ତି, କାରଣ ଭାରତ ସମେତ ବିଶ୍ୱର ବହୁ ନାମୀ ବ୍ୟବସାୟିକ ଗ୍ରୁପ୍ ଓ କୋଟିପତି ଏହି ସମ୍ମିଳନୀରେ ଭାଗ ନେଇଥିଲେ । ଏହି ଅବସରରେ ମୋଦୀ କହିଛନ୍ତି,
- ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ଲକ୍ଷ୍ୟ
- ଗତ ୧୦ ବର୍ଷରେ ଭାରତୀୟ ଅର୍ଥନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି
- ୧୦ ବର୍ଷ ତଳେ ଭାରତର ଅର୍ଥନୀତି ଏକାଦଶ ସ୍ଥାନରେ ଥିଲା
- ଏବେ ଦେଶର ଅର୍ଥନୀତି ପଂଚମ ସ୍ଥାନରେ ପହଂଚିଛି
- ବିଶ୍ୱର ରେଟିଂ ଏଜେନ୍ସିମାନେ ଭାରତୀୟ ଅର୍ଥନୀତି ଉପରେ ଭରସା ଦେଖାଇଛନ୍ତି
- ଆଉ ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ
ସେପଟେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ଭାରତର ଦୁଇ ଅଗ୍ରଣୀ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ । ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ମୋଦୀଙ୍କୁ ସେ ଦେଶର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ କହିବା ସହ ଗୁଜରାଟ ପାଇଁ ବଡ଼ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ଗୁଜରାଟ ଖୁବଶୀଘ୍ର ନିଜ ବ୍ୟାଟେରୀ ଉତ୍ପାଦନ କାରଖାନା ଆରମ୍ଭ କରିବାକୁ କହିଛନ୍ତି । ସେହିପରି ଆଦାନୀ ମଧ୍ୟ ଗୁଜରାଟରେ ପ୍ରତିବର୍ଷ ୨ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଘୋଷଣା କରିଛନ୍ତି । ଅର୍ଥାତ୍ ପ୍ରତି ଘଂଟା ସେ ରାଜ୍ୟ ପାଇଁ ୫ କୋଟି ଟଙ୍କା ନିବେଶ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ ସମିଟ୍ରେ ଟାଟା ଗ୍ରୁପ୍ ସମେତ ଆଉକିଛି ବଡ଼ ବଡ଼ ବ୍ୟବସାୟୀ ସାମିଲ ହୋଇଥିଲେ । ଜାପାନୀ କାର୍ ନିର୍ମାଣକାରୀ ସଂସ୍ଥା ସୁଜୁକି ମୋଟର୍ସ, ଗୁଜରାଟରେ ୩୫ହଜାର କୋଟି ଟଙ୍କା ନିବେଶ କରିବ । ଏହାବ୍ୟତୀତ ଆହୁରି ଅନେକ ସଂସ୍ଥା ଗୁଜରାଟ ପାଇଁ ବଡ଼ ଘୋଷଣା କରିଛନ୍ତି ।