ଲୋକାର୍ପିତ ହୋଇଛି ଆଇଆଇଏମର ସ୍ଥାୟୀ କ୍ୟାମ୍ପସ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନୂଆ କ୍ୟାମ୍ପସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

200

କନକ ବ୍ୟୁରୋ : ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇଆଇଏମର ନୂଆ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି । ଲୋକାର୍ପଣ ପରେ ଆଇଆଇଏମର ଛାତ୍ରଛାତ୍ରୀ, ପ୍ରଫେସରଙ୍କ ସମେତ ସାରା ଓଡିଶାକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଅଭିଭାଷଣ ରଖି କହିଛନ୍ତି ଆଜି ଓଡିଶା ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ରାଜ୍ୟ ଆଗେଇଲେ ଦେଶ ଆଗେଇବ । ଓଡିଶାକୁ ଶିକ୍ଷା, କୌଶଳ ବିକାଶର ମହତ୍ୱପୂର୍ଣ୍ଣ କେନ୍ଦ୍ର କରିବାକୁ ନିରନ୍ତର ପ୍ରୟାସ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମର ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ପ୍ରାୟ ୭୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଓଡିଶାକୁ ଭେଟି ଦେଇଛନ୍ତି । ସମ୍ବଲପୁରରେ ଲୋକାର୍ପଣ ହୋଇଥିବା ପ୍ରକଳ୍ପ ସବୁ ବର୍ଗର ଲୋକଙ୍କୁ ରୋଜଗାର ଯୋଗାଇ ଦେବ ବୋଲି ମୋଦୀ କହିଛନ୍ତି ।

ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଗୋଟିଏ ମଂଚରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଂଚରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସଭାକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯେଉଁ ପ୍ରକଳ୍ପକୁ ମୋଦୀ ସରକାର ଆରମ୍ଭ କରନ୍ତି ତାହାର ଲୋକାର୍ପଣ ମଧ୍ୟ କରନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଆଇଏମ କ୍ୟାମ୍ପସ ଲାଗି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଭିତରେ ସମ୍ବଲପୁର ଆସିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ କହିଛନ୍ତି, ଷ୍ଟାର୍ଟଅଫ କ୍ଷେତ୍ର ଲାଗି ଦେଶରେ ଏବେ ସୁବର୍ଣ୍ଣ ଯୁଗ ଚାଲୁଛି । ଆଉ ଷ୍ଟାର୍ଟଅପର ପ୍ରସାର କ୍ଷେତ୍ରରେ ଦେଶରେ ଓଡିଶା ଆଗରେ ରହିଛି ।

ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ କ୍ୟାମ୍ପସ ଉଦଘାଟନୀ କରିବା ସରକାରୀ କାର୍ଯ୍ୟକ୍ରମ ଥିଲା । କିନ୍ତୁ ଲୋକାର୍ପଣ ଉତ୍ସବ ପରେ ସମ୍ବଲପୁରରେ ଆୟୋଜିତ ମୋଦୀ ଗ୍ୟାରେଣ୍ଟି ସମାବେଶରେ ସାମିଲ ହୋଇଛନ୍ତି ।