କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଏବେ ନିର୍ଣ୍ଣାୟକ ମୋଡରେ ପହଂଚିଛି । ବହୁଦିନର ପ୍ରତୀକ୍ଷା ପରେ ଦେଶକୁ ୨ ଟି ଟିକା ମିଳିବା ପରେ ଜାନୁଆରୀ ୧୬ ତାରିଖରୁ ଦେଶରେ ମେଗା ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକାକରଣର ଶୁଭାରମ୍ଭ ସହ ସେହିଦିନ ପ୍ରଧାନମନ୍ତ୍ରୀ କୋ- ୱିନ ଆପ୍ ର ଶୁଭାରମ୍ଭ କରିବେ ମୋଦି । ଭିଡିଓ କନଫେରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଶୁଭାରମ୍ଭ ପରେ ଦେଶର ସବୁ ରାଜ୍ୟରେ ଟିକାକରଣ ଆରମ୍ଭ କରାଯିବ । ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଯେଉଁ କୋ-ୱିନ୍ ଆପ୍ ର ଶୁଭାରମ୍ଭ କରିବେ, ଏହି ଆପ୍ ମାଧ୍ୟମରେ ଲୋକମାନେ ଟିକାକରଣ ପାଇଁ ପଞ୍ଜିକରଣ କରିପାରିବେ । ଏହାସହ ଏହି ଆପ୍ ସହାୟତାରେ ଆବେଦନକାରୀଙ୍କୁ ଟିକା ନେବାର ତାରିଖ, ସ୍ଥାନ ଓ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯିବ ।