ୱାଶିଂଟନରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ତ୍ରିରଙ୍ଗା ଉଡାଇ ସ୍ୱାଗତ କଲେ ପ୍ରବାସୀ ଭାରତୀୟ

ଆଜି ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ମୋଦୀ; କାଲି ବାଇଡେନଙ୍କ ସହ ଆଲୋଚନା

174

କନକ ବ୍ୟୁରୋ : ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନରେ ପହଂଚିଛନ୍ତି । ଭାରତୀୟ ସମୟ ରାତି ପାଖାପାଖି ୩ଟା ୩୦ରେ ମୋଦୀ ୱାଶିଂଟନରେ ପହଂଚିଥିଲେ । ମୋଦୀ ୱାଶିଂଟନରେ ପହଂଚିବା ପରେ ଭାରତୀୟମାନେ ସ୍ୱାଗତ କରିଥିଲେ । ତ୍ରିରଙ୍ଗା ଉଡାଇ ମୋଦିଙ୍କ ଜୋରଦାର ସ୍ୱାଗତ କରିଥିଲେ ଆମେରିକାରେ ଅବସ୍ଥିତ ଭାରତୀୟ । ଏହା ପରେ ମୋଦୀ ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଦୁଇ ବର୍ଷ ପରେ ଏହା ମୋଦୀଙ୍କ ପ୍ରଥମ ଆମେରିକା ଗସ୍ତ । ଆଜି ପ୍ରଧାନମନ୍ତ୍ରୀ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ।

ଦିନ ପାଖାପାଖି ୧୨ଟା ୩୦ରେ କମଲା ହାରିସଙ୍କୁ ଭେଟିବା ପାଇଁ ଆଇଜନହାବର ଏଗଜିକ୍ୟୁଟିଭ୍ ଅଫିସ୍ ଯିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବେ । ଏହା ସହ ଗ୍ଲୋବାଲ ସିଇଓ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହା ବାଦ୍ ମୋଦୀ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଆତଙ୍କବାଦ ସମେତ ବାଣିଜ୍ୟ ଓ ବିନିଯୋଗ, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆଦି କ୍ଷେତ୍ରରେ ଆଲୋଚନା କରିବେ । ଆଫଗାନିସ୍ତାନରେ ବର୍ତମାନର ଆଞ୍ଚଳିକ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ । ଆମେରିକାରେ ପହଂଚିବା ପରେ ମୋଦି ବିଶ୍ୱ କୋଭିଡ ସମ୍ମିଳନୀକୁ ସମ୍ବୋଧନ କରିଥିଲେ । ଟିକା ପ୍ରସ୍ତୁତି ପାଇଁ କଞ୍ଚାମାଲ ଯୋଗାଣର ମାଧ୍ୟମକୁ ଖୋଲା ରଖାଯିବା ଦରକାର ବୋଲି କହିଥିଲେ ମୋଦୀ ।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଅନ୍ତରଭରା ସ୍ବାଗତ ଜଣାଇଥିବାରୁ ୱାଶିଂଟନ ଡିସିରେ ବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି କୃତଜ୍ଞ । ଆମ ବଂଶୋଦ୍ଭବମାନେ ହିଁ ଆମର ଶକ୍ତି । ସମଗ୍ର ବିଶ୍ବରେ ଭାରତୀୟ ବଂଶୋଦ୍ଭବମାନେ ଯେଭଳି ପ୍ରସିଦ୍ଧି ଅର୍ଜନ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ‘ଏୟାର୍‌ବେସ୍‌’ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପେନ୍‌ସିଲ୍‌ଭେନିଆ ଆଭେନ୍ୟୁସ୍ଥିତ ହୋଟେଲ୍‌ ୱିଲାର୍ଡ ଅଭିମୁଖେ ଯାତ୍ରା କରିଥିଲା ।

ଟିକା ପ୍ରମାଣପତ୍ର ଓ ପାରସ୍ପରିକ ସହଯୋଗ ଜରିଆରେ ଅନ୍ତର୍ଜାତୀୟ ଯାତ୍ରାକୁ ସହଜ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଶ୍ୱ କୋଭିଡ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଟିକା ପ୍ରସ୍ତୁତି ପାଇଁ କଂଚାମାଲ ଯୋଗାଣର ମାଧ୍ୟମକୁ ଖୋଲା ରଖାଯିବା ଦରକାର । ଅର୍ଥନୀତି ଉପରେ କରୋନାର ପ୍ରଭାବକୁ ବିଚାରକୁ ନେଇ ଏହାକୁ ସୁଧାରିବାକୁ ଚେଷ୍ଟା ହେବା ଦରକାର , ଆଉ ଏଥିପାଇଁ ଅନ୍ତର୍ଜାତୀୟ ଯାତ୍ରା ସହଜ ହେବା ଆବଶ୍ୟକ । ଦେଶମାନେ ପରସ୍ପରର ଟିକା ପ୍ରମାଣପତ୍ରକୁ ମାନ୍ୟତା ଦେଇ ଏଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଦେଶରେ ଟିକା ଉତ୍ପାଦନ ବଢ଼ାଉଯାଉଛି ଓ ଭାରତ ପୁଣି ଥରେ ବିଦେଶକୁ ଟିକା ଯୋଗାଇବ ବୋଲି ଭରସା ଦେଇଛନ୍ତି ମୋଦୀ । ୫ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।