କନକ ବ୍ୟୁରୋ : ପ୍ରୟାଗରାଜ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଯୋଗୀ ସରକାରରେ କଣ ବଦଳିଛି ତାହାର ଗୋଟି ଗୋଟି ହିସାବ ଦେଇଛନ୍ତି ମୋଦୀ । ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ୫ ବର୍ଷ ପୂର୍ବେ ଉତ୍ତରପ୍ରଦେଶ ରାସ୍ତାରେ ମାଫିଆରାଜ ବା ଗୁଣ୍ଡାରାଜ ଚାଲିଥିଲା । ଶାସନ କ୍ଷମତାରେ ଗୁଣ୍ଡାଙ୍କର ପ୍ରାର୍ଦୁଭାବ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଉତ୍ତରପ୍ରଦେଶର ଝିଅ ଓ ମହିଳା ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିଲେ । ଝିଅ ଓ ମହିଳା ରାସ୍ତାକୁ ବାହାରିବା ମୁସ୍କିଲ ହୋଇପଡିଥିଲା । ସ୍କୁଲ ଓ କଲେଜ ଯିବା ସମ୍ଭବପର ହେଉନଥିଲା । ଆଉ ଏହାର ପ୍ରତିବାର କରିବାର କୌଈସି ଚାରା ମଧ୍ୟ ନଥିଲା । କାରଣ ଥାନାକୁ ଅଭିଯୋଗ କରିବାକୁ ଗଲେ ଅପରାଧୀ, ଦୁଷ୍କର୍ମକାରୀଙ୍କ ଜରିଆରେ ପ୍ରଭାବଶାଳୀ ଲୋକଙ୍କର କଲ ଆସୁଥିଲା । କିନ୍ତୁ ଯୋଗୀ ସରକାର ଏହି ଅପରାଧୀ ଓ ଗୁଣ୍ଡାଙ୍କୁ ସାବାଡ କରିବା ସହ ଠିକ୍ ସ୍ଥାନରେ ପହଞ୍ଚିଛନ୍ତି ।

Advertisment

ମୋଦୀ କହିଛନ୍ତି ଆମ ସରକାର ଯେଉଁ ଯୋଜନା ଆଣୁଛନ୍ତି ତାହାଦ୍ୱାରା ଦେଶରେ ଅସମାନତା ଦୂର ହୋଇପାରିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହାର ସବୁଠୁ ବଡ ଉଦାହରଣ । ଉତ୍ତରପ୍ରଦେଶର ମହିଳା ମାନେ ସ୍ଥ୍ିର କରି ସାରିଛନ୍ତି ଯେ, ପୂର୍ବ ସରକାରରେ ଯେଉଁ ସ୍ଥିତି ଦେଖାଦେଇଥିଲା ତାହାର ପୁନରାବୃତ୍ତି ପୁଣି ଥରେ ନ ହେଉ । ଡବଲ ଇଞ୍ଜିନ ସରକାର ଉତ୍ତରପ୍ରଦେଶର ମହିଳା ଓ ଯୁବତୀଙ୍କୁ ଯେଉଁ ସୁରକ୍ଷା ଦେଇଛନ୍ତି, ଯେଉଁ ସମ୍ମାନ ଦେଇଛନ୍ତି ତାହା ବାସ୍ତବରେ ପ୍ରଂଶସନୀୟ ।

ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଦେଶର ଅଧା ଜନସଂଖ୍ୟା ସ୍ୱାଧୀନତା ପରେ ଯେଉଁ ଅଧିକାର ପାଇବାକୁ ଚାହିଁ ବସିଥିଲେ ୨୦୧୪ ପରେ ମୋଦୀ ସେମାନଙ୍କୁ ନିଜର ହକ ଓ ଅଧିକାର ଦେଇଛନ୍ତି ।