କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଇଦ୍ରାବାଦ ଗସ୍ତବେଳେ କାହିଁକି ଆସିଲେ ନାହିଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ଏହି ପ୍ରସଙ୍ଗକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବାକୁ ନଆସିବା ପ୍ରଟୋକଲର ଉଲ୍ଲଂଘନ ବୋଲି କହି ସମାଲୋଚନା ଆରମ୍ଭ କରିଛି ରାଜ୍ୟ ବିଜେପି । ଏହାପରେ କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ପକ୍ଷରୁ ଟ୍ୱିଟ କରି ସ୍ପଷ୍ଟୀକରଣ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଗସ୍ତବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ବାଧ୍ୟତାମୂଳକ ନୁହେଁ ।

Advertisment

ଏନେଇ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀଳୟର ନିର୍ଦ୍ଦେଶାବଳୀ ରହିଛି । ଏପରିକି ସେହି ଗାଇଲାଇନକୁ ମଧ୍ୟ ଟ୍ୱିଟ କରିଛି ଟିଆରଏସ । ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ସମସାବାଦରେ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ଏକ ପ୍ରତିମୂର୍ତି ଅନାବରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇନାହାନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏନେଇ ଦଳ କହିଛି ଯେ. ତାଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ସୂଚନା ଦିଆଯାଇଥିଲା । ତେଣୁ ଅସୁସ୍ଥତା ସତ୍ୱେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାର କୌଣସି ଯଥାର୍ଥତା ନାହିଁ । ଏହାକୁ ନେଇ ରାଜ୍ୟ ବିଜେପି ଅଯଥା ରାଜନୀତି କରୁଥିବା ଅଭିଯୋଗ କରିଛି ଟିଆରଏସ ।

ଏପଟେ ଷ୍ଟାଚ୍ୟୁ ଅଫ ୟୁନିଟି ପରେ ଦେଶବାସୀଙ୍କୁ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟି ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକାଦଶ ଶତାବ୍ଦିର ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଏକ ୨୧୬ ଫୁଟର ପ୍ରତିମୂର୍ତିକୁ ଅନାବରଣ କରାଯାଇଛି । ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ ଥିବାବେଳେ ସମସାବାଦରେ ଏହି ପ୍ରତିମୂର୍ତିକୁ ଉନ୍ମୋଚନ କରିଛନ୍ତି । ପ୍ରାୟ ୧ ହଜାର କୋଟି ଟଙ୍କାରେ ସନ୍ଥଙ୍କ ପ୍ରତିମୂର୍ତି ସହ ୬୩ ହଜାର ୪୪୪ ବର୍ଗଫୁଟ ପରିମିତ ଏକ ବିଶାଳ ଫଟୋ ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯାଇଛି ।

ଏହି ପ୍ରତିମୂର୍ତିକୁ ଦେଶବାସୀଙ୍କୁ ସମର୍ପିତ କରିବା ଅବସରରେ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ବିଚାର ସଂପର୍କରେ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତଙ୍କ ବିକାଶ ଓ ସମସ୍ତଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ସବୁବେଳେ ତତ୍ପର ଥିଲେ ସନ୍ଥ ରାମାନୁଜାଚାର୍ଯ୍ୟ । ଏହି ମୂର୍ତିର ଅନାବରଣ ସହ ଦେଶରେ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ସ୍ଥାପନ ହୋଇପାରିଥିବା ମୋଦୀ କହିଛନ୍ତି । ଭାଷଣରେ ମୋଦୀ ଗାନ୍ଧିଜୀଙ୍କ କଥା ମଧ୍ୟ ଉଲ୍ଲେଖ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ବିନା ଦେଶ ସ୍ୱାଧୀନତା କଥା ଚିନ୍ତା କରା ଯାଇନପାରେ ବୋଲି ମୋଦୀ ତାଙ୍କ ଉଦବୋଧନରେ କହିଥିଲେ । ଏଥିସହ ସନ୍ଥ ରାମାନୁଜାଚାର୍ଯ୍ୟଙ୍କୁ ପ୍ରକୃତ ଜ୍ଞାନର ପ୍ରତିକ ବୋଲି ବର୍ଣ୍ଣନା କରିଥିଲେ ।