କନକ ବ୍ୟୁରୋ : ହିମାଚଳ ନିର୍ବାଚନ ପାଇଁ ପ୍ରଚାର ଶେଷ ପଯ୍ୟାୟରେ ପହଂଚିଛି । ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ହିମାଚଳପ୍ରଦେଶ ପାଇଁ ଲଗାତାର ରାଲି କରୁଛନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜନସଭାକୁ ସମ୍ଭୋଧିତ କରି ବିଜେପି ଉପରେ ଲୋକଙ୍କ ବିଶ୍ୱାସ ବଢିଥିବା କହିଛନ୍ତି ମୋଦୀ । ସଭାରେ ବିରୋଧୀ କଂଗ୍ରେସଙ୍କୁ ଟାର୍ଗେଟ୍ କରି ହିମାଚଳପ୍ରଦେଶରେ ସ୍ଥିର ସରକାର ଦରକାର ବୋଲି ସେ କହିଛନ୍ତି । ସେହିପରି ଡବଲ ଇଂଜିନ ସରକାରରେ ହିମାଚଳପ୍ରଦେଶର ଉନ୍ନତି ହେବ ।

Advertisment

ଅନ୍ୟପଟେ ହିମାଚଳପ୍ରଦେଶରେ ପୁଣିଥରେ କଂଗ୍ରେସ ଯୁବକଙ୍କ ସ୍ୱପ୍ନକୁ ଧୁଳିସାତ କରିବ । ଏଥିପାଇଁ ବିଭିନ୍ନ ରାଜ୍ୟ କଂଗ୍ରେସକୁ ଶାସନ କ୍ଷମତାରୁ ଦୁରେଇ ରଖିଛନ୍ତି ବୋଲି ମୋଦି କହିଛନ୍ତି । ସେପଟେ କଂଗ୍ରେସ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସଭାପତି ମଲ୍ଲିକାଜୁନ ଖଡ୍ଗେ । ସଭାପତି ହେବା ପରେ ପ୍ରଥମଥର ହିମାଚଳ ଗସ୍ତ କରି ପ୍ରଚାର କରୁଛନ୍ତି ଖଡଗେ । ଶିମଳାର ବାନୁଟିରେ ଦଳୀୟ ପ୍ରାର୍ଥୀ ବିକ୍ରମଦିତ୍ୟ ସିଂଙ୍କ ସିଂଙ୍କ ପାଇଁ ସେ ଭୋଟ୍ ମାଗିଛନ୍ତି । କଂଗ୍ରେସ ପ୍ରାର୍ଥ ସପକ୍ଷରେ ଭୋଟ ଦେବାକୁ ଲୋକଙ୍କ ନିବେଦନ କରିବା ସହ ବିଜେପି ଉପରେ ବର୍ଷିଛନ୍ତି ଖଡ୍ଗେ । ବାନୁଟିରେ ଜନସଭା ସମ୍ବୋଧନ ବେଳେ ସେ କହିଛନ୍ତି, ବିଜେପି ସବୁବେଳେ ଚିରାଚରିତ ଡାଇଲଗ୍ ମାରିଆସୁଛି, ୭୦ ବର୍ଷରେ କଂଗ୍ରେସ କଣ କରିଛି, ତେବେ ହିମାଚଳରେ ଥିବା ରାସ୍ତା, ବିଦ୍ୟୁତ୍, ଶିକ୍ଷା ବ୍ୟବସ୍ଥା ଗତ ୭ ବର୍ଷରେ ବିଜେପି କରିଛି କି ବୋଲି ପାଲଟି ପ୍ରଶ୍ନ କରିଛନ୍ତି ଖଡଗେ । ପାହାଡି ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ଚାଲିଛି । ଏଥିସହ ଆମଆଦମୀ ପାର୍ଟି ମଧ୍ୟ ପ୍ରତିଦ୍ୱନ୍ଦିତା କରିବାକୁ ଚେଷ୍ଟା କରୁଛି । ୬୮ ବିଧାନସଭା ସିଟ୍ ଥବା ଏହି ରାଜ୍ୟରେ ଆସନ୍ତା ୧୨ରେ ପଡିବାକୁ ଯାଉଛି ଭୋଟ । ପ୍ରଚାରକୁ ଆଉ ମାତ୍ର ଦିନେ ବାକି ଥିବା ବେଳେ ସମସ୍ତେ ଭୋଟରଙ୍କ ମନ ଜିଣିବାରେ ଲାଗିଛନ୍ତି ।